ମାଲକାନଗିରି– ଦୁଃଖ ଏମିତି ଯେ ଏବେ ଆଉ ପ୍ରାର୍ଥନା ବି କାମ କରୁନି । ସତେ ଯେମିତି ଭଗବାନ ବି ମୁହଁ ଫେରାଇ ନେଇଛନ୍ତି ଏହି ଗାଁ ଲୋକଙ୍କ ନିକଟରୁ । ପୋଟେରୁ ନଦୀ ଏହି ଗାଁ ପାଇଁ ପାଲଟିଛି ଅଭିଶାପ । ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁନଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ଗିରିକାନପାଲ୍ଲୀ ଗାଁ । ପୋଟେରୁ ନଦୀ କୂଳରେ ଥିବା ଏହି ଗାଁରେ ୭୦ଟି ପରିବାରର ୩୦୦ ଲୋକ ବସବାସ କରନ୍ତି l ଏହି ନଦୀ ହିଁ ସେମାନଙ୍କୁ ପାଣି ଯୋଗାଇଥାଏ । ହେଲେ ଏହି ନଦୀ ଏବେ ସେମାନଙ୍କ ପାଇଁ ବିପଦ ସାଜିଛି । ଏଠାରେ ଏକ ବିରାଟ ଗାତ ହୋଇ ଗାଁକୁ ପାଣି ଆସୁଥିବାବେଳେ ନିକଟରେ ଥିବା ଅନୁସୂଚିତ ଜାତି ଜନଜାତି ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ତଥା ରାଜନେତା ଠାରୁ ଆରମ୍ଭ କରି ସମସ୍ତେ ଏହି ଜାଗାରେ ପହଞ୍ଚି ବାସ୍ତବତା ଦେଖିବା ପରେ ନଦୀ କୂଳରେ ଏକ ଗାର୍ଡ଼ଓ୍ଵାଲ ତିଆରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେସବୁ କେବଳ କଥାରେ ହିଁ ରହିଯାଇଛି ।
ଗତକିଛି ବର୍ଷ ପୂର୍ବେ ନଦୀ କୂଳରେ ଏକ ଗାର୍ଡ଼ଓ୍ଵାଲ ତିଆରି ହୋଇଥିଲା । ୨୦୦୬ ମସିହାରେ ହୋଇଥିବା ବନ୍ୟାରେ ଉକ୍ତ ଗାର୍ଡ଼ୱାଲ ଭାଙ୍ଗି ଯାଇଥିଲା । ଗାଁ ଭିତରକୁ ପାଣି ଆସି ଲୋକଙ୍କ ଘରେ ବନ୍ୟା ପାଣି ପଶିଥିଲା । ତୁରନ୍ତ ଏଠାରେ ଗାର୍ଡ଼ଓ୍ଵାଲର ବ୍ୟବସ୍ଥା କରାନଗଲେ ଆଗାମୀ ବର୍ଷା ଋତୁରେ ବଡ଼ ସମସ୍ୟାର ସାମନା କରିବେ ଏହି ଗାଁ ଲୋକେ । ଏ ସମ୍ପର୍କରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିଥିଲୁ । ହେଲେ ସେ କିଛି କହିବାକୁ ମନା କରି ଦେଇଥିଲେ । ଜିଲ୍ଲା ପ୍ରଶାସନ ଏହି ସମସ୍ୟା ବାବଦରେ ଦୃଷ୍ଟି ଦେଇ ଗାର୍ଡ଼ୱାଲ ନିର୍ମାଣ କରାଗଲେ ଗୋଟିଏ ଗାଁ ନଦୀ ଗର୍ଭରୁ ଲୀନ ହେବାରୁ ବଞ୍ଚିଯାଇପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।