କଟକ – କଟକ ଜିଲ୍ଲା ସାଲେପୁର ଅଂଚଳରେ ଗତ ୨୦୧୮ ଅପ୍ରେଲ ୨୧ ତାରିଖରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଆଜି କଟକ ସ୍ପେଶାଲ କୋର୍ଟ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଘଟଣା ଦିନ ମୁସ୍ତାକ ଏହି ୬ ବର୍ଷିୟା ନାବାଳିକାକୁ ଚକୋଲେଟ୍ ର ପ୍ରଲୋଭନ ଦେଖାଇ ସ୍କୁଲ୍ ବାରଣ୍ଡା ନିକଟକୁ ନେଇଯାଇଥିଲା । ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକା ଜଣକ ଚିକ୍ରାର କରିବାରୁ ଅଭିଯୁକ୍ତ ତାଙ୍କ ତଂଟି ଚିପିବା ସହ ସ୍କୁଲ କାନ୍ଥରେ ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ନାବାଳିକା ଜଣକ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ସେ ମୁର୍ମୂଷୁ ଅବସ୍ଥାରେ ପଡିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ପରିବାର ଲୋକେ ନାବାଳିକାଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଘଟଣା ଦିନ ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଘଟଣାର ୧୯ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ମୋଟ୍ ୪୬ ଜଣଙ୍କ ମଧ୍ୟରୁ ୨୩ ଜଣ ସାକ୍ଷୀଙ୍କ ବୟାନ, ଫରେନସିକ୍ ରିପୋର୍ଟ, ଡିଏନଏ ରିପୋର୍ଟ, ଅଭିଯୁକ୍ତର ବୟାନ, ପାରିପାଶ୍ୱିର୍କ ସ୍ଥିତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣ ଆଧାରରରେ ଆଜି କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ତାଙ୍କ ରାୟରେ ଫାଶି ଦଣ୍ଡଦେଶ ଶୁଣାଇଛନ୍ତି ।
ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡ ଦିଆଯାଇଛି । ଗତ ଦୁଇ ମାସ ମଧ୍ୟରେ ଏହା ହେଉଛି ଚତୁର୍ଥ ଫାଶି ଦଣ୍ଡାଦେଶ । ଏହା ପୂର୍ବରୁ ମୟୂରଭଞ୍ଜ, ଅନୁଗୋଳ, ଜଗତସିଂହପୁର, କଟକ ଜିଲ୍ଲାରେ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ଗତ ଜୁଲାଇ ୨୬ ତାରିଖରେ ଅନୁଗୋଳର ଅନାମ ଦେହୁରୀ, ଅଗଷ୍ଟ ୨୮ରେ ବାରିପଦାର ଯାମିନୀକାନ୍ତ ମହାନ୍ତ, ସେପ୍ଟେମ୍ବର ୧୦ ରେ ଏରସମାର ଲବ ମାନାକୁ ଫାଶି ଦଣ୍ଡାଦେଶ ଦିଆଯାଇଥିବା ବେଳେ ଆଜି ସାଲେପୁରର ମହମ୍ମଦ ମୁସ୍ତାକକୁ ମିଳିଛି ଫାଶି ଦଣ୍ଡାଦେଶ । ଦୁଷ୍କର୍ମ ମାମଲାରେ କୋର୍ଟଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଆଗାମୀ ଦିନରେ ଅସାମାଜିକଙ୍କୁ ପ୍ରଭାବିତ କରିବ ନିଶ୍ଚିତ ।