-
ବାଇକ୍ରେ ଫେରି ପୁଣି ଆଇସୋଲେସନ ୱାର୍ଡରେ, ଆଉ ୨ ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର : ବ୍ରହ୍ମପୁର ବଡ ଡାକ୍ତରଖାନା ଓ ହସ୍ପିଟାଲ(ଏମ୍କେସିଜି)ର ଆଇସୋଲେସନ୍ ୱାର୍ଡରୁ ଚମ୍ପଟ ମାରିଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ ରବିବାର ରାତ୍ର ୧୨ଟାରେ ପୁଣି ମେଡିକାଲ୍କୁ ଫେରିଛନ୍ତି । ସେ ରବିବାର ଦିନ ଅପରାହ୍ନ ୪ଟା ବେଳେ ଫେରାର ହୋଇଯାଇଥିଲେ । ସନ୍ଦିଗ୍ଧଙ୍କ ଘର କୃଷ୍ଣପ୍ରସାଦ ବ୍ଲକ୍ରେ ହୋଇଥିବା ବେଳେ ଥଣ୍ଡା ଓ ଛିଙ୍କ କାରଣରୁ ଏମ୍କେସିଜିର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ କିଛି ସୂଚନା ନଦେଇ ଫେରାର ହୋଇଯାଇଥିଲେ । ଏମ୍କେସିଜି ଅଧିକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସନ୍ଦିଗ୍ଧ ଯୁବକଜଣକ ଗ୍ରାମରେ ପହଞ୍ôଚବାପରେ ଗାଁରେ କେହି ଗ୍ରହଣ କରିନଥିଲେ । ଗ୍ରାମବାସୀଙ୍କ ଠାରୁ ତାଛଲ୍ୟ ହେବାପରେ ଘର ଲୋକ ବାରଣ କରିଥିଲେ । ପରେ ଏକ ମୋଟର ସାଇକେଲ୍ରେ ସେ ପୁଣି ଏମ୍କେସିଜିକୁ ଆସି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ ଯାତ୍ରା ଚାଲିଥିବାରୁ ପଳାଇଥିବା କହିଥିଲେ । ଏପରିକି କୌଣସି ଲୋକେ ତାକୁ ହସ୍ପିଟାଲ ଆଣିବାକୁ ମନା କରିବାପରେ ଘରୋଇ ଆମ୍ବୁଲାନ୍ସକୁ ମେଡିକାଲ୍ ନେବାପାଇଁ ଅନୁରୋଧ କରିଥିଲେ । ଶେଷରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ସେ ମଧ୍ୟ ଆସିନଥିଲା । ବାଧ୍ୟହୋଇ ନିଜ ବାଇକ୍ ଚଲାଇ ଏମ୍କେସିଜିକୁ ଆସିଥିବା କହିଛନ୍ତି । ସେପଟେ ଏମ୍କେସିଜିରୁ ଯାଇଥିବା ୨ଟି ସ୍ୱବ ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ଅଧିକ୍ଷକ ପ୍ରଫେସର ମିଶ୍ର । ସେ କହିଛନ୍ତି କୃଷ୍ଣପ୍ରସାଦ ବ୍ଲକ୍ରୁ ଏଠାରେ ଭର୍ତ୍ତି ହୋଇଥିବା ଯୁବକ ଓ ଚିକିଟିରୁ ଭର୍ତ୍ତି ହୋଇଥିବା ଯୁବକଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ଉଭୟଙ୍କ ରିପୋର୍ଟ ନେଗେଟିଭ ରହିଛି । ସମ୍ପୂର୍ଣ୍ଣ ଚିକିତ୍ସାପରେ ତାଙ୍କୁ ଘରକୁ ଛଡାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଏମ୍କେସିଜିରେ ପ୍ରଥମେ ଭର୍ତ୍ତି ହୋଇଥିବା ୨ଜଣଙ୍କ ସ୍ୱାବ୍ ପରୀକ୍ଷାରେ ନେଗେଟିଭ ଆସିଥିବାେ ବଳେ ସୋମବାର ଆଉ ୨ଜଣ ସନ୍ଦିଗ୍ଧ ଏମ୍କେସିଜିରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦିଗପହଣ୍ଡିରୁ ୫୮ବର୍ଷୀୟା ଜଣେ ମହିଳା ଓ ସହର ଉପକଣ୍ଠରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କୁ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଦିଗପହଣ୍ଡିର ମହିଳାଜଣକ ମାଉଣ୍ଟାବ ଯାଇଥିଲେ । ସେଠାରୁ ଫେରିବାପରେ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସେ ପୂର୍ବରୁ ଦିଗପହଣ୍ଡି ଓ ଏମ୍କେସିଜି ମେଡିକାଲ୍ରେ ଚିକିତ୍ସିତ ହୋଇ ଘରକୁ ଯାଇଥିଲେ । କିନ୍ତୁ ମହିଳାଜଣକ ଆସି କରୋନା ସନ୍ଦେହ ହୋଇଛି ବୋଲି ଭାବି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ସେହିପରି ଉପଖଣ୍ଡରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଯୁବକଙ୍କ ଘର ଅନୁଗୁଳରେ ହୋଇଥିବା ବେଳେ ସେ କାଜିକସ୍ତାନ ଯାଇଥିଲେ । ସେଠାରୁ ଫେରିବାପରେ ଥଣ୍ଡାରେ ଆକ୍ରାନ୍ତ ହୋଇଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ଭାଇ ସୋମବାର ସନ୍ଧ୍ୟାରେ ତାଙ୍କୁ ଏମ୍କେସିଜିର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ସ୍ୱାବ୍ ମଙ୍ଗଳବାର ମାଇକ୍ରୋ ବାଇଲୋଜି ବିଭାଗ ଡାକ୍ତରମାନେ ସଂଗ୍ରହ କରିବେ ଓ ଭୁବନେଶ୍ୱର ପରୀକ୍ଷା କରାଇବାକୁ ପଠାଇବେ ବୋଲି ଅଧିକ୍ଷକ ଶ୍ରୀ ମିଶ୍ର କହିଛନ୍ତି । କରୋନାକୁ ନେଇ ସାରା ଜିଲ୍ଲାବାସୀ ଭୟଭୀତ ଥିବାବେଳେ ବାହାର ରାଜ୍ୟରୁ କିମ୍ବା ବାହାର ଦେଶରୁ ଫେରୁଥିବା ଲୋକମାନେ ନିଜେ ହସ୍ପିଟାଲକୁ ଆସି ନିଜ ସ୍ୱାବ୍ ପରୀକ୍ଷାକରି ନିଅନ୍ତୁ ବୋଲି ଅଧିକ୍ଷକ ଡା. ମିଶ୍ର ପରାମର୍ଶ ଦେଇଛନ୍ତି ।