ଭୁବନେଶ୍ୱର – ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ଭୁବନେଶ୍ୱର ଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ ମହାନ୍ତିଙ୍କ ଗଳ୍ପ ସଂକଳନ ‘ଉତରଣ’ ଓ ‘ହାତପାପୁଲିରେ ଜୀବନ’ ଏବଂ ସ୍ତମ୍ଭରଚନା ପୁସ୍ତକ ‘ଭୋକ ବିଳାସ’ ଅନାବରଣ କରିଥିଲେ ।
ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ତିନୋଟିର ପ୍ରାଂଜଳ ସମୀକ୍ଷା କରିଥିଲେ ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ, ଗବେଷକ ଓ ଅନୁବାଦକ ଅସିତ ମହାନ୍ତି ଏବଂ ପ୍ରବୀଣ କଥାକାର ସୀତେଶ ତ୍ରିପାଠୀ । ଏହି ଅବସରରେ ଲେଖିକା ଶ୍ରୀମତୀ ମହାନ୍ତି ନିଜ ଗପଲେଖାର ଗହନ କଥା ବଖାଣିଥିଲେ । ଟାଇମପାସର ନିର୍ଦ୍ଦେଶକ ତଥା ଯୁବଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଦେବା ସହ ଉତ୍ସବ ସଂଚାଳନ କରିଥିଲେ । କବି ପବିତ୍ର ମୋହନ କର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।