
ଧର୍ମଶାଳା- ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ହାଟ ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ଦିନ ମଜୁରିଆଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ଚିତ୍ରକୂଳ ଗ୍ରାମର ଜଳଧର ନାୟକ (୪୦) । ସେ ହାଟରେ ଟ୍ରକ୍ ରୁ ଲୋଡିଂ ଅନଲୋଡିଂ କାମ କରନ୍ତି ।
ଜଳଧର ଆଜି ସକାଳେ ବାରବାଟୀ ହାଟକୁ କାମ କରିବାକୁ ଆସୁଥିଲେ । ତେବେ ସେ ରାସ୍ତା ପାରି ହେଉଥିବା ସମୟରେ ଦୃତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ସେଠାରେ ଦୀର୍ଘ ୨ ଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡ଼କ୍ରସ୍ ପାଣ୍ଠିରୁ ସହାୟତା ଘୋଷଣା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।