ପିପିଲି– ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ସରସ୍ୱତୀପୁର ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି । ବିଶେଷ କରି ସମବାୟ ସମିତି ପକ୍ଷରୁ ଦାୟୀତ୍ୱ ଦିଆଯାଇଥିବା ମିଲରଙ୍କ ଦାଦାଗିରି ସାଙ୍ଗକୁ ମଣ୍ଡିରେ ଧାନ କିଣାରେ ବ୍ୟାପକ କାଟଛାଟ୍ ରେ ଚାଷୀ ଅତିଷ୍ଠ ହୋଇପଡିଛନ୍ତି । ଧାନ ବସ୍ତା ବୋଝେଇ ଟ୍ରାକ୍ଟର ଓ ଟାଟା ଏସି ଗୁଡିକୁ ଏଠାରେ ସିଧାସଳଖ ଓଜନ କରାଯାଉଥିବା ବେଳେ ଭାଇବ୍ରେସନ ପାଇଁ ୨୦ କେ.ଜି. କଟାଯାଉଛି । ଏପରିକି କୌଣସି ଧାନ ବସ୍ତାରେ ଗୋଟିଏ ମାଟି କିମ୍ବା କୁଟା ଦେଖିଲେ ବସ୍ତା ପିଛା ୫ ରୁ ୧୦ କେଜି କଟାଯାଉଥିବା କେତେକ ଚାଷୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ୯ ତାରିଖରେ ଟୋକନ୍ ପାଇଥିବା ଚାଷୀଙ୍କ ଧାନ ଆଜି ଅର୍ଥାତ୍ ୧୬ ତାରିଖରେ ଧାନ କିଣା ଯାଇଥିବା ଜଣାପଡିଛି ।
ଏହା ବ୍ୟତୀତ ଧାନକିଣା ଟାର୍ଗେଟ୍ ପୂରଣ ହୋଇସାରିଥିବା ଦର୍ଶାଇ ଅନେକ ଚାଷୀଙ୍କ ଧାନକୁ ମଣ୍ଡିରୁ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସୋସାଇଟିର ସମ୍ପାଦକଙ୍କ ଜାଣତରେ ଏପରି ଅନିୟମିତତା ଚାଲିଥିବା କୁହାଯାଉଛି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ଧାନ କିଣା ବାବଦ ଅନିୟମିତତାର ତଦନ୍ତ ପାଇଁ ଚାଷୀ ମାନେ ଦାବି କରିଛନ୍ତି ।