
ଭଞ୍ଜନଗର– ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ଅବକାରୀ ବିଭାଗ, ପୋଲିସ ପ୍ରଶାସନ, ପେଟ୍ରୋଲ ପମ୍ପ ମାଲିକ, ବଣିକ ସଂଘ, ବସ ମାଲିକ ସଂଘ, ଯୋଗାଣ ବିଭାଗ,ମେଡିକାଲ, ଆଞ୍ଚଳିକ ପରିବହନ ଓ ଅନ୍ୟାନ୍ୟ ବିଭାଗ କର୍ମକର୍ତ୍ତା ମାନଙ୍କୁ କରୋନା ଭୁତାଣୁ ଠାରୁ ଦୁରେଇ ରହିବା ସହ ସତର୍କତା ଅବଲମ୍ବନ ପାଇଁ ସଚେତନ କରାଯାଇଛି।ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସ୍ୱଚ୍ଛତା କୁ ଦୃଷ୍ଟିରେ ରଖି ହାତକୁ ଭଲ ଭାବରେ ବାରମ୍ବାର ଧୋଇବା, ମାସ୍କ, ରୁମାଲ, ଗାମୁଛା କୁ ମୁଁହରେ ଢାଙ୍କିବା, ଲୋକଙ୍କ ଠାରୁ ଦୂରେଇ ରହିବା, କାଶ, ଛିଙ୍କ, ଥଣ୍ଡା ଓ ଜ୍ୱର ରେ ଆକ୍ରାନ୍ତ ଲୋକଙ୍କ ସହ ନ ମିଶିବା ଏବଂ ସେମାନଙ୍କୁ ତୁରନ୍ତ ମେଡିକାଲ ପଠେଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ବିବାହ, ବ୍ରତ, ମେଳା, ମହୋତ୍ସବ,ଯାତ୍ରା ଭଳି ସାମାଜିକ କାର୍ଯ୍ୟ କୁ ବନ୍ଦ କରିବା ସହ ସପିଙ୍ଗ ମଲ, ବଡ଼ ବଡ଼ ଦୋକାନ, କୋଚିଙ୍ଗ ସେଣ୍ଟର, ଗୁପଚୁପ, ଚାଟ ଦୋକାନ, ଚିକେନ୍, ମଟନ ଦୋକାନକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ସ୍ଥିର ହୋଇଛି।ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ,ଜନଗହଳି ପୂର୍ଣ୍ଣ ସ୍ଥାନ ଓ ବସ ରେ ଭିଡରେ ଯାତାୟତ ନ କରିବାକୁ ବାରଣ କରାଯାଇଛି।ବାହାରକୁ ବେଶି ନଯାଇ ନିଜ ଘରେ ରହିବାକୁ ପ୍ରାଧାନ୍ୟ ଦିଆଯାଇଛି।ଏଥିରେ ଉପଜିଲ୍ଲାପାଳ ଙ୍କ ସମେତ ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡିକାଲ ଅଧିକ୍ଷକ ସୀତାଂସୁ ଶେଖର ଶତପଥୀ, ଆର ଟି ଓ ଶୁଭେନ୍ଦୁ ରଞ୍ଜନ ରାୟ, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।