ବେଳଗୁଣ୍ଠା (୧୪/୩) କରୋନା ନାଁ ଶୁଣିଲେ ସତେ ଯେମିତି କୋକୁଆ ଭୟ ମାଡି ଆସୁଛି ମନ ଭିତରେ ।
କରୋନା ର କରାଳ ରୂପ ଯେମିତି ସାରା ବିଶ୍ୱକୁ କବଳିତ କରି ଚାଲିଛି ଅତିଶୀଘ୍ର ଏହା ଜୀବ ଜଗତକୁ ନାଶ କରିଦେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । କିଏ କହେ ଏହା ମାଳିକା ବଚନର ନୀତି ଅନୁସାରେ ଘଟୁଛି ତ ଆଉ କିଏ କହୁଛି ଦାର୍ଶନିକ ମାନେ କହିଥିବା ଭବିଷ୍ୟବାଣୀ କୁ ଆଧାର କରି ସାରା ବିଶ୍ୱ ଧ୍ବଂସ ହେବାକୁ ଯାଉଛି । ଚୀନ ରୁ ସୃଷ୍ଟି ହୋଇଥିବା ଏହି ଭାଇରସ ବେଶ କିଛି ଦିନ ହେବ ଚୀନ ରେ ମୃତ୍ୟୁର ତାଣ୍ଡବ ରଚିବା ପରେ ଏବେ ଦେଶକୁ ଦେଶ ଏହା ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ ଏହା ଭାଇରସ କିନ୍ତୁ ବେଲଗାମ ହୋଇପଡିଛି । କରୋନା ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପୁଥିବାରୁ ଏହା ମହାମାରୀ ରୂପ ନେଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ କିଛି ଡାକ୍ତର ଏହି ଭାଇରସ ର ପ୍ରତିକାର ବାହାର କରିଥିବା କହୁଥିବା ବେଳେ ଆଉ କିଛି ଏହାକୁ କେବଳ ସଚେତନତା ମାଧ୍ୟମରେ ରୋକି ହେବ ବୋଲି ଶୁଣିବାକୁ ମିଳୁଛି । ସଚେତନତା କୁ ଆଧାର କରି ଆମ ରାଜ୍ୟ ଓଡ଼ିଶାରେ ଏହି ସଂକ୍ରମଣ କୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଆଦେଶ ଦେଇଥିବା ବେଳେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ବାରଣ କରିଛନ୍ତି । ଏପରିକି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ଜିମ, ସୁଇମିଙ୍ଗପୁଲ ଏବଂ ବିଭିନ୍ନ ସ୍ଥାନର ଲୋକ ସାମୁହିକ ଭାବେ ଏକାଠି ହେଉଥିବା ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ଲୋକଙ୍କ ମନରେ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି । କାରଣ ଆଉ ମାତ୍ର ପନ୍ଦର ଦିନ ପରେ ଆରମ୍ଭ ହେବାକୁ ଯାଉଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ରୀତି ନୀତି ଅନୁସାରେ ଏହି ଯାତ୍ରା ଆରମ୍ଭ ହେବା ମାତ୍ରେ ରାଜ୍ୟ ତଥା ରାଜ୍ୟ ବାହାରେ କାମ କରୁଥିବା ଲକ୍ଷାଧିକ ଗଂଜାମ ବାସୀଙ୍କ ସୁଅ ଛୁଟେ ନିଜ ଜନ୍ମ ମାଟି ଗଂଜାମକୁ । ଏହି ଯାତ୍ରା ପାରମ୍ପରିକ ନୀତି ଅନୁସାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତେରରୁ କୋଡିଏ ଦିନ ଯାଏ ପାଳିତ ହୋଇଥାଏ । ସାରା ଗଂଜାମ ଜିଲ୍ଲା ଏହି ସମୟରେ ଉତ୍ସବ ମୁଖର ହେଉଥିବା ବେଳେ ଯାତ୍ରା ଦେଖିବାକୁ ବହୁ ସ୍ଥାନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।ସରକାରଙ୍କ ଏଭଳି ପରାମର୍ଶ ଏବଂ କରୋନା ର ଭୟ ଗଂଜାମ ବାସୀଙ୍କୁ ଏବେ ଦୋଛକି ରେ ଠିଆ କରିଛି । ନିଜର ମାନସିକ ପୂରଣ ପାଇଁ ଠାକୁରଙ୍କ ନିକଟରେ ଗୁହାରି କରି ଯାତ୍ରାକୁ ସଠିକ ରୂପେ ପାଳନ କରିବେ ନା କରୋନା ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବେ ଏନେଇ ଦ୍ଵନ୍ଦରେ ବହୁ ଭକ୍ତ ରହିଛନ୍ତି । ଏକ ଆକଳନରୁ ଜଣା ପଡ଼ିଛି ଯେ ଗଞ୍ଜାମରେ ପ୍ରାୟ 160 ରୁ ଉର୍ଦ୍ଧ୍ଵ ଦଣ୍ଡୁଆ ଦଳ ରହିଛନ୍ତି । ସେମାନେ ପ୍ରତିଦିନ ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ବୁଲି ଠାକୁରଙ୍କୁ ନେଇ ମାନସିକଧାରୀଙ୍କ ଘରେ ପୂଜା କରିଥାନ୍ତି।ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମକୁ ନେଇ କରୋନା ର ମୁକାବିଲା କରିବା କେବେ ବି ସମ୍ଭବ ହୋଇପାରିବ ନାହିଁ । ତେବେ ଏ ନେଇ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଛି।
ଶିବରାମ ଚୌଧୁରୀ