-
ବନ୍ଦ ହେବ ତାରାତାରିଣୀ ପୀଠର ଚୈତ୍ର ଯାତ୍ରା ଗହଳି
-
ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚ ଉପରେ ରୋକ୍
-
୫ଟି ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା
-
ଜାରିହେଲା ହେଲ୍ପ ଲାଇନ୍
ବ୍ରହ୍ମପୁର: କରୋନା ଭାଇରସ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଜନସାଧାରଣମାନେ ସୁରକ୍ଷିତ ରହିବା ନିମନ୍ତେ ବ୍ୟାପକ ସଚେତନ କରାଇବା ସହ ବିଭିନ୍ନ କାର୍ଯ୍ୟପନ୍ଥା ଆଗୁଆ ଗ୍ରହଣ କରିଛନ୍ତି । ଏ ନେଇ ସମସ୍ତ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି । ବର୍ତମାନ ଚାଲୁଥିବା ଚୈତ୍ର ମାସର ପ୍ରସିଦ୍ଧ ମା ତାରାତାରିଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି । ଏଥିନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ଜଣେ କିପରି ସୁରକ୍ଷିତ ରହିପାରିବ, ସେଥିନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ସମୟରେ ତଥା ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ବନ୍ୟା, ବାତ୍ୟାରେ ବ୍ୟାପକ ସଚେତନତା କରି ଆଗୁଆ ପଦକ୍ଷେପ ଗ୍ରହଣ କରି ଜିରୋ କାଜୁଆଲିଟି କରିଆସୁଛନ୍ତି । ଏ ନେଇ କରୋନା ସଂକ୍ରମଣର ଭୁତାଣୁ ଦ୍ୱାରା କିପରି ଲୋକମାନେ ଭୟଭୀତ ନହୋଇ ନିଜର ଜୀବନ ସୁରକ୍ଷିତ ରଖିବେ, ସେଥିନିମନ୍ତେ ବିଭିନ୍ନ ସଚେତନ କରାଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯାଇ ଲୋକମାନେ କିପରି ତାରାତାରିଣୀ ଯାତ୍ରାରେ ଜନସମାଗମ ନହୋଇପାରିବେ ସେଥିନିମନ୍ତେ ଜିଲ୍ଲା ପ୍ରଶାସନ ବହୁଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶକ ନଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ତାରାତାରିଣୀ ଯାତ୍ରାରେ ମାନସିକଧାରୀମାନେ ଯେଉଁ ମୁଣ୍ଡନ କରିଛନ୍ତି, ତାହା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସ୍ୱତନ୍ତ୍ର ବସ୍ ସେବା ଭଳି ବିଭିନ୍ନ ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ମନ୍ଦିର ତଳ ଓ ଉପରେ ଦୁଇଟି ଲେଖାଏଁ ହାଣ୍ଡ ୱାସ୍ ର ବ୍ୟବସ୍ଥା କରାଯିବ । ସେବାୟତମାନେ ମା’ଙ୍କ ପୂଜା ଯେମିତି କରିବା କଥା କରିବେ । ମାସ୍କ ପିନ୍ଧି ବାରମ୍ବାର ହାତ ଧୋଇ ସେବାୟତମାନେ ପୂଜା କରିବା ନିମନ୍ତେ କୁହାଯିବା ସହ ମନ୍ଦିର ଚାରି ପାଶ୍ୱର୍ ଓ ବାରିକେଟଗୁଡ଼ିକୁ ସଫାସୁତରା ରଖିବା ସହ ବାରମ୍ବାର ଧୋଇବାକୁ ମଧ୍ୟ କୁହାଯାଇଛି । ମା’ଙ୍କ ଯାତ୍ରା ନିମନ୍ତେ ଆସୁଥିବା ଅଟୋରୁ ଆରମ୍ଭ କରି ବିଭିନ୍ନ ଯାନବାହାନକୁ ରୋକ ଲଗାଯାଇଛି ।
କେବଳ ଅଂଚଳବାସୀମାନେ କମ୍ ପରିମାଣରେ ଯାଇପାରିବେ । ଯେତେ ସମ୍ଭବ ସେତେ ଭକ୍ତମାନେ ନଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଏହାସହ ଜିଲ୍ଲାର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ପ୍ରସିଦ୍ଧ ଦଣ୍ଡ ନାଚକୁ ମଧ୍ୟ କଟକଣା ଜାରି କରାଯାଇଛି । ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ଯାନିଯାତ୍ରାକୁ ମଧ୍ୟ ବନ୍ଦ କରାଯିବ । ଏହାସହିତ ବିବାହ ଓ ଜନ୍ମ ଉତ୍ସବ କାର୍ଯ୍ୟରେ ଭୋଜି ଭାତ ଆସର ନକରି ନିର୍ଦ୍ଦିଷ୍ଟ କମ ଲୋକ ଦ୍ୱାରା ଏଗୁଡ଼ିକ କାର୍ଯ୍ୟ କରିବାକୁ କୁହାଯାଇଛି । ଏଥିନିମନ୍ତେ ଆଗୁଆ ବୁକିଂ କରିଥିବା କଲ୍ୟାଣ ମଣ୍ଡପ, ହୋଟେଲ ଗୁଡ଼ିକ ମଧ୍ୟ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୟୁସନ, କୋଚିଂ ସେଂଟର ବନ୍ଦ କରିବା ସହ ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ଯେତେ ଜନଗହଳି ନକରିବା ନିମନ୍ତେ କୁହାଯାଇଛି । ଲୋକମାନେ ଯେତେ ସମ୍ଭବ ନିଜ ନିଜ ଘର ଭିତରେ ରହିବାକୁ କୁହାଯାଇଛି । ସ୍ୱାସ୍ଥ୍ୟଗତ ଆବଶ୍ୟକ ପଡ଼ିଲେ ବାହାରକୁ ଆସିବା ନିମନ୍ତେ କୁହାଯାଇଛି । ଏହା ସହ ସୁରଟ, ବାଙ୍ଗାଲୋର କିମ୍ବା ବାହାର ରାଜ୍ୟକୁ ଯାଇଥିବା ଲୋକମାନେ ଫେରିଲେ ସେମାନଙ୍କୁ ପଂଚାୟତଗୁଡ଼ିକରେ ସରପଂଚ ଓ ପିଇଓମାନେ ଚିହ୍ନଟ କରି ଜିଲ୍ଲା ପ୍ରଶାସନକୁ ଦେବା ସହ ସେମାନେ ନିଜ ନିଜ ଘରେ ରହିବାକୁ କୁହାଯାଇଛି । ଗ୍ରାମାଂଚଳଗୁଡ଼ିକରେ ଟେମ୍ପରେଚର ଟେଷ୍ଟିଂ ମେସିନ ଦ୍ୱାରା ପରୀକ୍ଷା କରାଯିବ । ଏହାସହ ବିଭିନ୍ନ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଜନଗହଳି ପୂର୍ଣ୍ଣ ଅଂଚଳରେ ଟେମ୍ପରେଚର ମେସିନ ରଖାଯାଇ ପରୀକ୍ଷା କରାଯିବ । ଜନସାଧାରଣମାନେ ମାସ୍କ ଓ ବାରମ୍ବାର ହାତ ଧୋଇବା ଏବଂ ରୁମାଲ, ସ୍କାର୍ପ ବା ଟିସୁ ପେପରରେ ଛିଙ୍କିବା ବା କାଶିବା ସମୟରେ ବ୍ୟବହାର କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି । ଜିଲ୍ଲାରେ ମାସ୍କ ଅଭାବ ଥିବାରୁ କଳାବଜାରୀ କୁ ଦେଖି ଜିଲ୍ଲାପାଳ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ଏସଏଚଜି ଗ୍ରୁପମାନେ ସୁଲଭ ଦରରେ ମାସ୍କ ତିଆରି କରି ଦେଲେ ଏହା ପଂଚାୟତଗୁଡ଼ିକରେ ୨୦ ଟଙ୍କା ଦରରେ ବିକ୍ରୀ କରାଯିବ ଏବଂ ଅଙ୍ଗନବାଡ଼ି କର୍ମୀମାନେ ବି ବିକ୍ରୀ କରିପାରିବେ ।
ଏ ନେଇ ଆଜି କେତେକ ସାମ୍ପୁଲ ବାବଦରେ ଗଞ୍ଜାମର ରାଧାକାନ୍ତ ସ୍ୱୟଂସହାୟକ ମହିଳା ଗୋଷ୍ଠୀ ମାସ୍କ ପ୍ରସ୍ତୁତ କରି ଦେଇଥିବାବେଳେ ତାହା ଭଲ ହୋଇଥିବାରୁ ଦୈନିକ ବିଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ମାସ୍କ ପ୍ରସ୍ତୁତ କରାଯିବ । ଏ ନେଇ ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ଯେ ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହ ତାରାତାରିଣୀ ଯାତ୍ରାରେ ଲୋକ ନଆସିବା ନିମନ୍ତେ ସେ ଅନୁରୋଧ କରିଛନ୍ତି । ଯେଉଁମାନେ କରୋନା ଭାଇରସକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ । ଏହାସହ ୧୮୮ ଧାରା ଅନୁଯାୟୀ ବିଭିନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ତାରାତାରିଣୀ ଯାତ୍ରାଠାରୁ ଆରମ୍ଭ କରି ବିଭିନ୍ନ ଯାନିଯାତ୍ରା, ବିବାହ ଭୋଜିରେ କିପରି ଜନଗହଳି ନହେବା ନିମନ୍ତେ ୱାର୍ଡ଼ମେମ୍ବର ଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିମାନେ ବ୍ୟାପକ ସଚେତନ କରିବା ନିମନ୍ତେ କୁହାଯାଇଛି । ଏହାସହ ଏଥିନିମନ୍ତେ ଲିଫଲେଟ, ହ୍ୱାଟ୍ ଆପ୍ ମାଧ୍ୟମରେ ସଚେତନ କରିବାକୁ କୁହାଯାଇଛି । ଏହାସହ ଜିଲ୍ଲାପାଳ ନିଜେ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ କରୋନା ଭାଇରସ ଉପରେ ଆଗୁଆ ସଚେତନତା କରିଥିବା ନେଇ ଧନ୍ୟବାଦ ଦେଇଥିଲେ । ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କରୋନା ଭାଇରସ ନେଇ ବିଧାନସଭା ଅଧିବେଶନ ମୁଖ୍ୟମନ୍ତ୍ରୀ ବନ୍ଦ କରିଛନ୍ତି । ଏ ନେଇ କିପରି ଜଣେ ହେଲେ ବ୍ୟକ୍ତି ମୃତ୍ୟୁବରଣ ନକରିପାରିବ, ସେଥିନିମନ୍ତେ ମୁଖ୍ୟମନ୍ତ୍ରୀ ଆଗୁଆ ସତର୍କ କରି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ବୋଲି ବିଧାୟକ ବିଧାୟିକାମାନେ ସୂଚନା ଦେଇଥିଲେ ।
ଏହାସହ ଲୋକମାନେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ସେଥିନିମନ୍ତେ ସଚେତନ ତା କରିବାକୁ ଅନୁରୋଧ କରିଥିଲେ । ତାରାତାରିଣୀ ମନ୍ଦିରର ସେବାୟତମାନଙ୍କୁ ପକ୍ଷରୁ ସେବାୟତ ତପନ କୁମାର ରଣା ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ଭାଇରସ ସମ୍ପର୍କିତ ନେଇ ଭକ୍ତମାନେ ସଚେତନ ହେବା ସହ ଯାତ୍ରାକୁ କମ ପରିମାଣରେ ଆସିବାକୁ କହିଛନ୍ତି । ବ୍ରହ୍ମପୁର ସିଟି ହସପିଟାଲରେ ଏକ ହେଲ୍ପଲାଇନ ଖୋଲାଯାଇଛି । ଏହାର ନଂ ୦୬୮୦-୨୨୨୪୭୯୮/ମୋ: ୯୪୩୯୯୮୩୯୫୬ ଜାରି କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଇସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଗଞ୍ଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ , ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜିକା ବିନିତା ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶ କୁମାର ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ, ବ୍ରହ୍ମପୁର ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ରାଇପୁର ସରପଂଚ ରାଜେନ୍ଦ୍ର ଶତପଥୀ, ପୁରୁଷୋତମପୁର ବିଡିଓ ସୀମାଂଚଳ ମହାନ୍ତି, ତାରାତାରିଣୀ ମନ୍ଦିର ଟ୍ରଷ୍ଟର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଗଞ୍ଜାମ ଘରୋଇ ବସ ମାଲିକ ସଂଘର ସମ୍ପାଦକ ସନ୍ତୋଷ କୁମାର ପତି, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଶରତ କୁମାର ପାତ୍ର, ପୁର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ, ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଅଜୟ କୁମାର ମିଶ୍ରଙ୍କ ସମେତ ତାରାତାରିଣୀ ମନ୍ଦିରର ସେବାୟତ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।