
ଧର୍ମଶାଳା– ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତସ୍ଥ ହାଟ ପଡିଆରେ ୫୩ତମ ରାଧାକୃଷ୍ଣ ଜୀଉ ବନ୍ଧଡିହ ହାଟ ମେଲଣ ଆଜି ଉଦଯାପିତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ମେଲଣ ଅନୁଷ୍ଠିତ ହୋଇ ଆଜି ପୂର୍ବାହ୍ନରେ ଉଦଯାପିତ ହୋଇଥିଲା । ହାଟ ଖେଳ ପଡିଆରେ ଅନୁଷ୍ଠିତ ଏହି ମେଲଣରେ ସ୍ଥାନୀୟ ଅଂଚଳରୁ ୨୦ରୁ ଉର୍ଦ୍ଧ୍ୱ ଛୋଟ ବଡ ବିମାନ ଯୋଗ ଦେଇଥିଲେ । ବନ୍ଧଡିହର ରାଧାକାନ୍ତ ଜୀଉ ବିମାନ ଥାନପତି ଆସନ ଅଳଙ୍କୃତ କରିଥିଲେ । ଆଜି ଭୋର୍ ସମୟରେ ରାଧାକୃଷ୍ଣ ବିମାନ ମିଳନ ହୋଇଥିଲା । ସୁସଜ୍ଜିତ ବିମାନ ଓ ବାଜାବାଣ ରୋଷଣୀ ପଟୁଆରରେ ରାଧାକୃଷ୍ଣଙ୍କୁ ନେଇ ଶ୍ରଦ୍ଧାଳୁ ମାନେ ବଜାରରେ ଫଗୁ ଖେଳିବା ସହ ଭଜନ କୀର୍ତନ କରିଥିଲେ । ଗୋଟିଏ ପରେ ଗୋଟି ବିମାନ ଥାନପତି ଆସନ ନିକଟରେ ପଂହଚିବା ପରେ ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହି ମେଲଣରେ ବନ୍ଧଡିହର ଶ୍ରୀଶ୍ରୀ ବୃନ୍ଦାବନ ଜୀଉ ବିମାନ, ବ୍ରହ୍ମବରଦା ବେଲଗୁଡିର ଶ୍ରୀଶ୍ରୀ ରାଧାମାଧବ ଜୀଉ ବିମାନ, ଗୋପାଳପୁରର ଶ୍ରୀଶ୍ରୀ ଗୋପାଳଜୀଉ ବିମାନ, ଶ୍ରୀ କୃଷ୍ଣଚନ୍ଦ୍ର ଜୀଉ ପ୍ରଥମାଖଣ୍ଡ, ରାଧାମାଧବ ଜୀଉ ବନ୍ଧଡିହର ଆଦି ବଡବଡ ବିମାନ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୫ରୁ ଉର୍ଦ୍ଧ୍ୱ ଛୋଟ ବିମାନ ଯୋଗ ଦେଇ ଫଗୁ ଖେଳିଥିଲେ । ଏହି ମେଲଣରେ ପ୍ରବଳ ଜନସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ବ୍ରହ୍ମବରଦା ଫାଣ୍ଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।