ନୂଆଦିଲ୍ଲୀ– ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ପରେ ରବିବାର ପି. ଚିଦାମ୍ବରମ୍ ମଧ୍ୟ କରୋନା ଭାଇରସ୍ ପ୍ରତିଶେଧକ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ପ୍ରୟାସ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଦିଗରେ ଆହୁରି ବିଭିନ୍ନ ଉପାୟ ନେଇ ସରକାର ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଛି ।
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ଭାଇରସ୍ ମୁକାବିଲା ନେଇ ଲଢ଼େଇ ବର୍ତମାନ ପର୍ଯ୍ୟନ୍ତ ଭଲ ରହିଛି । କିନ୍ତୁ, ଆମେ କ’ଣ ଏ ଦିଗରେ ଆହୁରି ଅଧିକ ପଦକ୍ଷେପ ନେଇପାରିବା ? ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ପଜିଟିଭ କୋଭିଡ଼-୧୯ ମାମଲା ଏକ ସପ୍ତାହ ମଧ୍ୟରେ ୩୧ରୁ ୮୪ ରେ ପହଂଚିଛି । କେତେକ ରାଜ୍ୟ ସରକାର ଆଂଶିକ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ହେଲେ, କେନ୍ଦ୍ର ସରକାରଙ୍କୁ ଏନେଇ ଅଧିକ ଉପାୟ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ।
ସେହିପରି ନିଜର ଅନ୍ୟ ଏକ ଟ୍ୱିଟ୍ ରେ ସେ କହିଛନ୍ତି ଯେ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ର ଚେତାବନୀ ଉପରେ ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଯଦି ଷ୍ଟେଜ୍ -୩ ଭାଇରସ୍ ର ପ୍ରସାରକୁ ରୋକିବା ପାଇଁ ଆମ ନିକଟରେ ୩୦ ଦିନର ସମୟ ରହିଛି, ତେବେ ଆମକୁ ଦୃତ ଓ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢିବା ଉଚିତ୍ ।