ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କଇଠିରା ଗ୍ରାମରେ ମହାଭାରତ ନାଟକ ଚାଲିଥିବା ବେଳେ ନାଟକରେ ବ୍ୟବହୃତ ପାଇଁ ଷ୍ଟେଜ୍ ତଳେ ବାଣ ରଖାଯାଇଥିଲା । ନାଟକ ଚାଲିଥିବା ସମୟରେ ଆଜି ଭୋର୍ ସମୟରେ ଅକସ୍ମାତ୍ କୌଣସି କାରଣରୁ ବାଣ ବସ୍ତାରେ ଅଗ୍ନି ସଂଯୋଗ ହୋଇ ବାଣ ଫୁଟିଥିଲା । ଏହି ବିସ୍ଫୋରଣରେ ମଂଚ ନିକଟରେ ବସିଥିବା ପ୍ରାୟ ୮ ଜଣ ଦର୍ଶକଙ୍କ ସମେତ ଜଣେ ଯାତ୍ରା କଳାକାର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଗୁରୁତର ମାନଙ୍କ ଶରୀରର ୫୦ ଭାଗ ପୋଡିଯାଇଥିଲା । ତନ୍ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ଆସିକା ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ବର୍ଣ୍ଣ ଟ୍ରିଟମେଂଟ ବ୍ୟବସ୍ଥା ନଥିବାରୁ ଗୁରୁତର ୭ ଜଣଙ୍କୁ ପରବର୍ତି ସମୟରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମାନେ ହେଲେ ରାଜା ଗୌଡ଼ (୧୨), ଓମ୍ ଗୌଡ଼ (୮), ସୁମନ ରେଡ୍ଡୀ (୭), ଚନ୍ଦନ ବିଷୋୟୀ (୮), ଅରୁଣ ବିଷୋୟୀ(୧୯), ବାବୁ ବିଷୋୟୀ (୨୦) ଓ ବିଜୟ ଗୌଡ଼ (୪୦) । ତନ୍ମଧ୍ୟରେ ଅରୁଣ ଯାତ୍ରା କଳାକାର ବୋଲି ଜଣାପଡିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବା ଡ଼ାକ୍ତର କହିଛନ୍ତି । ଅନ୍ୟପକ୍ଷରେ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ବାଣ ବିସ୍ଫୋରଣ ସମ୍ପର୍କରେ ଗାଁରେ ଯାତ୍ରା ଦଳ ଏବଂ ଗ୍ରାମ କମିଟି ସଦସ୍ୟଙ୍କୁ ପଚରା ଉଚୁରା ଚଳାଇଛି ।
Related Stories
November 25, 2024