ସମ୍ବଲପୁର– ବିଷାକ୍ତ ଛତୁ ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ସମ୍ବଲପୁର କିସିଣ୍ଡା ଥାନା ଅନ୍ତର୍ଗତ ହିରାଲୋଇ ଗ୍ରାମରେ ।
ଗ୍ରାମର ଏହି ବୃଦ୍ଧ ଜଣକ ଗତକାଲି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରୁ ସେ କିଛି ଛତୁ ତୋଳି ଆଣିଥିଲେ । ଏହାକୁ ସେ ତାଙ୍କ ଘରେ ରୋଷେଇ କରିବା ସହ ପଡ଼ୋଶୀ ଘରକୁ ମଧ୍ୟ କିଛି ଛତୁ ଦେଇଥିଲେ । ଏହି ଛତୁକୁ ତରକାରୀ କରି ଖାଇବା ପରେ ଗତକାଲି ରାତିରେ ଦୁଇଟି ପରିବାରର ୪ ଜଣ ଗୁରୁତର ହୋଇପଡିଥିଲେ । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ସମ୍ବଲପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।
ଅପରପକ୍ଷେ ତାଙ୍କ ପଡ଼ୋଶୀ ଘରର ଦୁଇ ପିଲା ଗୁରୁତର ହୋଇ ସମ୍ବଲପୁର ଡ଼ାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କିସିଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବୃଦ୍ଧ ଜଣକ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା ଛତୁ ବିଷାକ୍ତ ଥିବା ଅନୁମାନ କରାଯାଉଛି ।