ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ୍ ଅନ୍ତର୍ଗତ ଅଂଚଳଗୁମ୍ମା ଗ୍ରାମରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଶନିବାର ମଧ୍ୟ ରାତ୍ରରେ ଗାଁ ଭିତରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗୋଟିଏ ଭାଲୁ ଦୀର୍ଘ ସମୟ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏପରିକି ଗ୍ରାମର କିଛି ଯୁବକ ଏହାର ଫଟୋ ନିଜ ମୋବାଇଲରେ ଉତୋଳନ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଗତ କିଛି ଦିନ ହେବ ନିୟମିତ ଭାବେ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଦୋହଣା ଗ୍ରାମରେ ବୁଲୁଥିବା ଗୋଟିଏ ଭାଲୁକୁ ସୁରକ୍ଷିତ ଭାବେ ବନ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଥିଲା । ସେହିପରି ନନ୍ଦାହାଣ୍ଡି ବ୍ଲକର ଗାଜିଆଗୁଡା ଗାଁରେ ଭାଲୁ ଦେଖିବାକୁ ମିଳିଥିଲା ।