
ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ୩ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ପରୀକ୍ଷଣ ପାଇଁ ୨ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସ୍ୱାବ ସଂଗ୍ରହ ହୋଇଥିବା ଦମ୍ପତ୍ତିଙ୍କୁ ଆଗମୀ ୪ ଦିନ ପାଇଁ ଅବଜରଭେସନରେ ରଖାଯିବ । ତେବେ ଶନିବାର ସନ୍ଧ୍ୟା ସୁଧା ଜଣେ ସନ୍ଦିଗ୍ଧଙ୍କୁ ଘରକୁ ଛାଡି ଦିଆଯାଇଥିବା ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ଚିକିଟି ବ୍ଳକର ଜଣେ ୩୬ ବର୍ଷୀୟ ଯୁବକ ୟୁଏଇ ଆବୁଧାବିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ରହଣିକାଳରେ ଗତ କିଛି ଦିନ ତଳେ ସେ ନିମୋନିଆରେ ପୀଡ଼ିତ ହୋଇଥିବା ସହ କାଶ ହୋଇଥିଲା । ଫଳରେ ଆବୁଧାବିର ଏକ ହସ୍ପିଟାଲରେ ଚିକିତ୍ସା କରାଇ ଔଷଧ ଖାଇଥିଲେ । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ୭ ତାରିଖରେ ସେ ଭାରତ ଅଭିମୁଖେ ବାହାରିଥିଲେ । ବିମାନ ଯୋଗେ ବିଶାଖାପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ସେଠାରେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି । ହେଲେ ଗାଁକୁ ଆସିବା ପରେ ତାଙ୍କ ଶରୀରରେ ବିଭିନ୍ନ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଶୁକ୍ରବାର ରାତି ୧୧ଟାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡମେଡିକାଲକୁ ଅଣାଯାଇଥିଲା । ଯୁବକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣଙ୍କୁ ଏମକେସିଜି କାଜୁଆଲିଟି ଦ୍ୱିତୀୟ ମହଲାରେ ଥିବା ସ୍ୱତନ୍ତ୍ର କକ୍ଷରେ ରଖାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ତା ପାଖରେ ଥିବା ଅନ୍ୟ ଏକ ସ୍ୱତନ୍ତ୍ର କୋଠାରୀରେ ରଖାଯାଇଛି । ବର୍ତ୍ତମାନ ଯୁବକଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଭାବେ ତାଙ୍କ ସ୍ୱାବ ସଂଗ୍ରହ କରି ଶନିବାର ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ବୋଲି ଏମକେସିଜି କରୋନା ୱାର୍ଡ ଇନଚାର୍ଜ ଭେଷଜ ବିଶେଷଜ୍ଞ ଡା. ଉମାଶଙ୍କର ମିଶ୍ର କହିଛନ୍ତି । ଯେହେତୁ ତାଙ୍କ ପତ୍ନୀ ତାଙ୍କ ସଷ୍ପର୍ଶରେ ଆସିଛନ୍ତି ତେଣୁ ତାଙ୍କୁ ମଧ୍ୟ ତା’ ନିକଟରେ ଥିବା ରୁମରେ ରଖାଯାଇଛି ବୋଲି ଡା. ମିଶ୍ର କହିଚନ୍ତି । ୪ ଦିନ ରଖାଯିବା ସହ ରିପୋର୍ଟ ନେଗେଟିଭ ଆସିବା ପରେ ଯୁବକଙ୍କୁ ଛାଡି ଦିଆଯିବ ବୋଲି ସେ ଜଣାଇଛନ୍ତି । ଏପଟେ ଶନିବାର ଅପରାହ୍ନରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକର ଜଣେ ୨୭ ବର୍ଷୀୟ ଯୁବକ ଏମକେସିଜିକୁ ଚିକିତ୍ସା ପାଇଁ ଆସିଥିଲେ । ସେ କିଛି ଦିନ ତଳେ ବାଙ୍ଗାଲୁରୁରୁ ଫେରିଥିବା ବେଳେ କାଶ ଓ ଥଣ୍ଡା ଲାଗି ରହିଥିବାରୁ ତାଙ୍କୁ ଏମକେସିଜିର କରୋନା ୱାର୍ଡରେ ଭର୍ତ୍ତି ହେବାକୁ କୁହାଯାଇଥିଲା । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିବା ପରେ ତାଙ୍କ ଠାରୁ କେବଳ ନମୁନା ସଂଗ୍ରହ ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାପଡ଼ିଛି ।