ଭୁବନେଶ୍ୱର – କାଳିଆ ଯୋଜନାରେ ଚାଷୀମାନଙ୍କୁ ଦିଆଯାଇଥିବା ଟଙ୍କା ଫେରସ୍ତ ପାଇଁ ଧମକାଇଲେ ଆନ୍ଦୋଳନ କରାଯିବା ସହ ଏହା ବିରୁଦ୍ଧରେ କୋର୍ଟକୁ ଯିବୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେଡି ନେତାଙ୍କ ସୁପାରିଶରେ କାଳିଆ ଟଙ୍କା ଦିଆଯାଇଛି ।
କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ବୋଲି ସରକାର ଯାହା କହୁଛନ୍ତି ତାହା ସତ୍ୟ ନୁହେଁ । ପ୍ରକୃତରେ ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ପାଇଛନ୍ତି । ଯେଉଁମାନେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ରହିଥିଲେ ଏବଂ ନୀତି ନିର୍ଦ୍ଧାରଣ କରିଥିଲେ ସେମାନଙ୍କ ଠାରୁ କ୍ଷତି ହୋଇଥିବା ୧୭୦ କୋଟି ଟଙ୍କା ଆଦାୟ କରାଯାଉ । କେବଳ ସେତିକି ନୁହେଁ ତ୍ରୁଟି ପୂର୍ଣ୍ଣ ତାଲିକାପ୍ରସ୍ତୁତିରେ ସମ୍ପୃକ୍ତି ରହିଥିବା ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉ । ଏସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯାଉ । କୃଷି ମନ୍ତ୍ରୀ , ଅର୍ଥମନ୍ତ୍ରୀ ଓ ବିଭାଗୀୟ ସଚିବ ମାନଙ୍କୁ ଏଥିପାଇଁ ଉତରଦାୟୀ କରାଯାଉ ।