ନୂଆଦିଲ୍ଲୀ– କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ବେଙ୍ଗାଲୁରୁରେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିିନିଧି ସଭା ସ୍ଥଗିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଆଡଭାଇଜରି ଅନୁଯାୟୀ ଏହି ନିଷ୍ପତି ନିଆଯାଇଛି । ମହମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁର ମୁକାବିଲା ଲାଗି ସାମୂହିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ବନ୍ଦ ରଖିବା ନିର୍ଦ୍ଦେଶ ପରେ ସତର୍କତାସ୍ୱରୂପ ଆରଏସଏସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଆରଏସଏସର ସରକାର୍ଯ୍ୟବାହ ସୁରେଶ(ଭୟାଜୀ) ଯୋଶୀ ଶନିବାର ସନ୍ଦେଶ ଜାରି କରି କହିଛନ୍ତି ଯେ, ମହାମାରୀ କୋଭିଡ-୧୯ର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସୂଚନା ତଥା ପରାମର୍ଶ ଅନୁଯାୟୀ ବେଙ୍ଗାଲୁରୁରେ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିନିଧି ସଭାକୁ ସ୍ଥଗିତ ରଖାଯାଇଛି । ସେ କହିଛନ୍ତି, ସମସ୍ତ ସ୍ୱଂୟସେବକ ନିଜ ନିଜ ଅଂଚଳରେ ଜନସଚେତନା ସହିତ ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଶାସନ ଓ ପ୍ରଶାସନକୁ ସହଯୋଗ କରନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ଲାଇନ ଅନୁଯାୟୀ ପ୍ରତିନିଧି ସଭାକୁ ଆଗାମୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସଙ୍ଘ ପ୍ରମୁଖ ଡ. ମୋହନ ଭାଗବତଙ୍କ ନେୃତତ୍ୱରେ ଏଠାରେ କାର୍ଯ୍ୟକାରୀ ମଣ୍ଡଳର ବୈଠକ ଜାରି ରହିବ ।
ଉଲ୍ଲେଖନୀୟ ବେଙ୍ଗାଲୁରୁର ଚେନ୍ନହଲ୍ଲୀରେ ମାର୍ଚ୍ଚ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ବୈଠକରେ ୧୫୦୦ କାର୍ଯ୍ୟକର୍ତା ଭାଗ ନେବାର ଥିଲା, ଏଥିରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସହିତ ଦେଶର ୪୪ ପ୍ରାନ୍ତରୁ ନିର୍ବାଚିତ ପ୍ରତିନିଧି, ବିଶେଷ ଆମନ୍ତ୍ରିତ ସଦସ୍ୟ, ରାଷ୍ଟ୍ର ସେବିକା ସମିତିର କାର୍ଯ୍ୟକର୍ତା ସାମିଲ ଥିଲେ । ଏହା ବ୍ୟତୀତ ୩୫ ଆନୁଷଙ୍ଗିକ ସଂଗଠନର ସଭାପତି ଓ ମହାସଚିବ, ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଜଷ୍ଟିସ ଭିଏସ କୋକଜେ, କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ବିଦ୍ୟାର୍ଥୀ ପରିଷଦର ସୁବେୟା ଷଣଗୁମନ, ଭାରତୀୟ ଶ୍ରମିକ ସଂଘର ସଭାପତି ସାଜି ନାରାୟଣ, ବିଦ୍ୟାର୍ଥୀ ଭାରତୀର ସଭାପତି ରାମକୃଷ୍ଣ ରାଓ, ବନବାସୀ କଲ୍ୟାଣ ଆଶ୍ରମର ସଭାପତି ଜଗଦେବ ଉରାଓଁ, ବିଜେପି ସଭାପତି ଜେପି ନଡ୍ଡା, ସକ୍ଷମର ସଭାପତି ଦୟାଲ ସିଂହ ପାଓ୍ାର ଓ ଅନ୍ୟ ବୈଠକ ଲାଗି ଆମନ୍ତ୍ରିତ ଥିଲେ ।