ପୁଂଛ– ପାକିସ୍ତାନ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ଲାଗି ପ୍ରାୟ ପ୍ରତ୍ୟେକ ଦିନ ପୁଞ୍ଝ ଜିଲ୍ଲା ସଂଲଗ୍ନ ନିୟନ୍ତ୍ରଣ ରେଖାରେ ଗୁଳିମାଡ କରୁଛି । ଭାରତୀୟ ସତର୍କ ଯବାନ ମୁହଁତୋଡ ଜବାବ ଦେଇ ପାକର ପ୍ରତ୍ୟେକ ଉଦ୍ୟମକୁ ପଣ୍ଡ କରି ଆସିଛନ୍ତି । ଏହି କ୍ରମରେ ପାକିସ୍ତାନ ଶନିବାର ସକାଳେ ପୁଣି ଥରେ ପୁଞ୍ଝ ଜିଲ୍ଲାର ମନକୋଟ୍ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଛି । ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି । ଏହି ଗୁଳିବିନିମୟରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । ଆହତଙ୍କ ନାମ ମହମ୍ମଦ ରଫିକ(୫୨) । ସେ ଗୋହଲାଦ ମେଣ୍ଢରର ବାସିନ୍ଦା । ଆହାତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ସକାଳେ ପାକିସ୍ତାନ ସେନା ଜିଲ୍ଲାର ମନକୋଟ ସେକ୍ଟର ସ୍ଥିତ ଭାରତୀୟ ସାମରିକ ଘାଟି ତଥା ଜନବହୁଳପୂର୍ଣ୍ଣ ଇଲାକାରେ ଗୁଳିମାଡ କରିବା ସହିତ ମୋର୍ଟାର ମାଡ କରିଥିଲା । ପାକିସ୍ତାନ ସେନା ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନରେ ମହମ୍ମଦ ରଫିକ ଆହତ ହୋଇଛି । ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଭାରତୀୟ ସେନା ମଧ୍ୟ ପାକିସ୍ତାନ ଗୁଳିମାଡର ଦୃଢ ଜବାବ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସେନା ଗତ କିଛି ସମୟରୁ କ୍ରମାଗତ ପୁଞ୍ଝ ଜିଲ୍ଲାର ଶାହପୁର, କସବା ଓ କିରନୀ, ସବଜିଆ, ମନକୋଟ୍ ସେକ୍ଟରରେ ସ୍ଥିତ ଭାରତୀୟ ସୈନ୍ୟ ଶିବିର ଓ ଜନବହୁଳ ଇଲାକାକୁ ନିଶାଣ କରି ଆସୁଛି । ଏଥିରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ରହିଛି ।