
ସିମଲା– କରୋନା ଭୂତାଣୁର ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ହିମାଚଳରେ ସମସ୍ତ ସ୍କୁଲ, କଲେଜ୍ ଓ ବିଶ୍ୱ ବିଦ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏହି ସମୟରେ ସ୍କୁଲ ଓ କଲେଜରେ ଚାଲି ଥିବା ପରୀକ୍ଷା ଉପରେ କୌଣସି ରୋକ୍ ଲାଗିବ ନାହିଁ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶନିବାର ବିଧାନସଭାରେ ଏହାର ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ସହିତ ସିନେମା ହଲ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହିତ ସମସ୍ତ ଆୟୋଜନ ଓ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍ ଲାଗିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ପ୍ରତି ସରକାର ସଂପୂର୍ଣ୍ଣ ସତର୍କ ରହିଛନ୍ତି ଏବଂ ମେଳା, ଉତ୍ସବ ଓ କ୍ରୀଡା ଆୟୋଜନକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି । ସରକାର ଏହା ମଧ୍ୟ ପ୍ରୟାସ କରିବେ ଯେ, ଆଗାମୀ ନବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଓ ଧାର୍ମିକ ସ୍ଥଳରେ କମ ଶ୍ରଦ୍ଧାଳୁଙ୍କ ସମାଗମ ହେଉ ।
କରୋନା ଭୂତାଣୁ ଉପରେ ବିଧାନସଭାରେ ବିଶେଷ ବକ୍ତ୍ୟବ ରଖି ମୁଖ୍ୟମନ୍ତ୍ରୀ ଠାକୁର କହଛନ୍ତି, ହିମାଚଳ ପ୍ରଦେଶରେ ଅଦ୍ୟାବଧି କରୋନା ଭୂତାଣୁରେ ଜଣେ ହେଲେ ସଂକ୍ରମିତ ହୋଇ ନାହାନ୍ତି । ହିମାଚଳରେ ୫୯୩ ଜଣ କରୋନା ପ୍ରଭାବିତ ଦେଶରୁ ଫେରିଛନ୍ତି । ଏଥିରେ ୭ ଜଣଙ୍କ ରକ୍ତ ଏବଂ ଅନ୍ୟ ସମ୍ବନ୍ଧିତ ନମୂନାର ଯାଂଚ ଲାଗି ଲ୍ୟାବକୁ ପଠାଯାଇଛି । ଏଥିରୁ ଜଣେ ହେଲେ କରୋନା ସଂକ୍ରମିତ ହୋଇନଥିବା ସୂଚନା ମିଳିଛି ।
ସେ କହିଛନ୍ତି, ପୂରା ଦେଶ କରୋନା ଭୂତାଣୁକୁ ନେଇ ଚିନ୍ତିତ । ଏ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ଏହାକୁ ମହାମାରୀ ଘୋଷିତ କରାଯାଇଛି । ହିମାଚଳରେ ଏହି ସଂକ୍ରମଣକୁ ନେଇ ପୂରା ସାବଧାନତା ଅବଲମ୍ବନ କରାଯାଉଛି । ସେ କହିଛନ୍ତି ନେପାଳରେ ଏହି ରୋଗ ବ୍ୟାପିବାରେ ଲାଗିଛି, ଯାହା ହିମାଚଳ ଲାଗି ଚିନ୍ତାର ବିଷୟ । କାରଣ ବଡ ସଂଖ୍ୟାରେ ନେପାଳୀ ନାଗରିକ ସଡକ ମାର୍ଗରେ ହିମାଚଳ ପହଂଚି ଥାନ୍ତି ।