ଗଞ୍ଜାମ– ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଆସିକା ଚିନି ଶିଳ୍ପରେ ୮ ଜଣ ନିଯୁକ୍ତି ପାଇଥିବା ନେଇ ସମ୍ପାଦକଙ୍କ ପକ୍ଷରୁ ଥାନାରେ ଏତଲା ପରେ ଆସିକା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି । ଅଭିଯୁକ୍ତ ମାନେ ହେଲେ ମନମୋହନ ପାଢ଼ୀ, ପରଦେଶୀ ସ୍ୱାଇଁ, ସନ୍ତୋଷ ଭଞ୍ଜ, ଜୟରାମ ଗୌଡ଼, ଆଦିକନ୍ଦ ସ୍ୱାଇଁ, ଯୁଧିଷ୍ଠିର ନାୟକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଉପେନ୍ଦ୍ର ସିଅ । ଏମାନେ ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଦୀର୍ଘ ବର୍ଷ ଧରି ଆସିକା ଚିନି ଶିଳ୍ପରେ ଚାକିରୀ କରି ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ଉପେନ୍ଦ୍ର ସିଅ ଚାକିରୀରୁ ଅବସର ନେଇ ସାରିଛନ୍ତି । ଖୁବ୍ ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଗତକାଲି ସମ୍ପାଦକ ଏନେଇ ଥାନାରେ ଏତଲା କରିଥିଲେ । ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତି ଘଟଣାକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହି ଆସିଥିବା ଗଞ୍ଜାମ ଜିଲ୍ଲାରେ ଚିନି ଶିଳ୍ପରେ ମଧ୍ୟ ଏ ପ୍ରକାର ବେଆଇନ ନିଯୁକ୍ତି ଓ ଜାଲିଆତିକୁ ନେଇ ପୁଣି ଥରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।