ଭୁବନେଶ୍ୱର– ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀର ବାମପାଶ୍ୱର୍ରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାରଙ୍କ ଯାହାଜ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ନୀତିଗତ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଏସମ୍ପର୍କରେ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍ ଅଂଚଳରେ ଏହି ବନ୍ଦର ପ୍ରତିଷ୍ଠା ହେବ । ଏହି ନଦୀ ଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ବିକାଶ ସଂସ୍ଥା ଓ ଚୟନ ନିମିତ ବିଡିଂ ପ୍ରୋସେସ୍ କରାଯାଇଥିଲା । ସେଥିରେ କୌଣସି ସଂସ୍ଥା ବିଡିଂ କରିନଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ଏହି ବନ୍ଦର ନିର୍ମାଣ ଓ ପରିଚାଳନା ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ।
ସେ ଆହୁରି କହିଛନ୍ତି ଯେ ଆଇଆଇଟି ଚେନ୍ନାଇ ଦ୍ୱାରାଚିହ୍ନଟ ସ୍ଥାନ ମାନଙ୍କ ମଧ୍ୟରୁ ଧାମରା ଠାରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପଣ୍ୟ କାରବାର ଚାଲିଛି । ସୁବର୍ଣ୍ଣରେଖା ମୁହାଣ ଓ ଦେବୀ ମୁହାଣ ନିକଟରେ ଦୁଇଟି ବନ୍ଦର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ପଣ୍ୟ କାରବାର ଚାଲୁ ଅଛି । ପିପିପି ମୋଡ୍ ରେ ଏହି କାର୍ଯ୍ୟକରାଯାଉଛି । ବନ୍ଦର ଉନ୍ନୟନ କର୍ତୃପକ୍ଷଙ୍କ ସହ ସ୍ୱାକ୍ଷର ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମ୍ପୃକ୍ତ ବନ୍ଦରର ଚୁକ୍ତି ଅବଧି ବର୍ଷ , ବନ୍ଦର ନିର୍ମାଣ ପାଇଁ ୪ ବର୍ଷ ଏବଂ ବନ୍ଦର ଚକ୍ତି ଅବଧି ପରବର୍ତୀ ସମୟରେ ୧୦ ବର୍ଷ ଲେଖାଏଁ ୨ ଥର ବୃଦ୍ଧି କରାଯାଇପାରିବ । ରାଜ୍ୟ ସରକାର ବନ୍ଦରର ଉନ୍ନତି କରଣ ପାଇଁ ଜମି ଲିଜ୍ ଆକାରରେ ଯୋଗାଇଦେବେ । ଇତିମଧ୍ୟରେ ଓଡିଶା ସରକାର ୧୪ ଟି ସ୍ଥାନରେ ବନ୍ଦର ,ନିର୍ମାଣ ପାଇଁ ବିଜ୍ଞପ୍ତି ଜାରୀ କରିଛନ୍ତି । ଆଇଆଇଟି ଚେନ୍ନାଇ ଦ୍ୱାରା ଓସେନ୍ ଇଂଜିନିୟରିଂ ସେଂଟରର ବୈଷୟିକ କମିଟି ଦ୍ୱାରା ଓଡିଶା ଉପକୂଳର ବାଲେଶ୍ୱରର ସୁବର୍ଣ୍ଣରେଖା ମୁହାଣ , ଚାନ୍ଦିପୁର ଓ ଇଂଚୁଡି , ଭଦ୍ରକ ଜିଲ୍ଲାର ଚୂଡାମଣି , ପୁରୀ ଜିଲ୍ଲାର ଦେବୀ ନଦୀ, ବାଲିହରଚଣ୍ଡୀ , ଗଂଜାମର ବାହୁଦା ମୁହାଣ ଠାରେ ବନ୍ଦର ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ ହୋଇଛି ।
ଏହା ବ୍ୟତୀତ ଧାମରା ଠାରେ ମଧ୍ୟ ବନ୍ଦର ପ୍ରତିଷ୍ଠା ପାଇଁ ମତାମତ ଆସିଥିଲା । ଏଗୁଡିକ ବ୍ୟତୀତ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର ଓ ବାହାବଳପୁର , ଜଗତସିଂହପୁର ଜିଲ୍ଲାର ଜଟାଧରମୁହାଣ , କେନ୍ଦ୍ରାପଡାର ଆଖଡାଶାଳି, ଗଂଜାମ ଜିଲ୍ଲାର ଗୋପାଳପୁର ଠାରେ ୫ ଟି ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।