
ଯାଜପୁର– ପାଇଖାନା ଭିତରେ ଜଣେ ବିବାହିତା ମହିଳା ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ରୋଡ଼ ନ୍ୟୁ ମାର୍କେଟ କଲୋନୀରେ । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ମୁତାବକ, ସମ୍ପୃକ୍ତ ମହିଳା ଜଣକ ୫ ବର୍ଷ ପୂର୍ବେ କୋରେଇ ଅଂଚଳରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଶାଶୂଙ୍କ ସହିତ ମତାନ୍ତର ହେବାରୁ ସେ ନିଜ ବାପଘରେ ଆସି ରହୁଥିଲେ । ଦୀର୍ଘ ଦିନ ଧରି ଶାଶୂଘରକୁ ଯାଉନଥିବାରୁ କିମ୍ବା ଶାଶୂ ଘର ଲୋକେ ତାଙ୍କୁ ବୁଝାସୁଝା କରି ନେଉନଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଜି ସକାଳେ ଘର ନିକଟରେ ଥିବା ଏକ ପାଇଖାନା ମଧ୍ୟରେ ସେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ମହିଳା ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି ।