ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଗତିରୋଧ କରିବାପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆହ୍ବାନ ଦେଇଛନ୍ତି । ଜିଲ୍ଲାପାଳଙ୍କ ଆହୁତରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁ ବାହାର ଲୋକମାନେ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି ତାଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବ । ଛତ୍ରପୁର ଓ ବ୍ରହ୍ମପୁର ରେଳ ଷ୍ଟେସନ ରେ ସଚେତନତା ପ୍ରକୋଷ୍ଠ କାର୍ଯ୍ୟକରିବ । ସବୁ ସରକାରୀ କାର୍ଯ୍ୟାଳୟ, ସର୍ବ ସାଧାରଣ ଯାତାୟତ ସ୍ଥାନ, ପରିବହନ ଯାନ, ବିଦ୍ୟାଳୟ ଗୁଡିକରେ କରୋନା ପାଇଁ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍ ତାର ପ୍ରଚାର ପତ୍ର ଲଗାଯିବ । ବ୍ଲକ୍ ଉନ୍ନୟନ ଅଧିକାରୀ ଆସନ୍ତାକାଲି ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କର ବୈଠକ ଡାକିବେ, ପୂର୍ବାହ୍ନରେ ବ୍ଲକ ରେ ଏବଂ ଅପରାହ୍ନରେ ଗ୍ରାମ ପଞ୍ଚାୟତ ସ୍ତରରେ ହାତ ଧୋଇବାର କୌଶଳ ପ୍ରଦର୍ଶନ କରାଯିବ । ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୁଡିକ ସଫା ସୁତୁରା କରି ରଖିବେ ଯାହା ଫଳରେ କି ସେଠାରେ କରୋନା ନିରୋଧ ଗୃହ କାର୍ଯ୍ୟ କରିପାରିବ । ପ୍ରତ୍ୟେକ ପୌରସଂସ୍ଥା ମାନଙ୍କରେ ଦୁଇ ଗୋଟି ସ୍ବତନ୍ତ୍ର କରୋନା ନିରୋଧ ଗୃହ ପ୍ରସ୍ତୁତ ହୋଇ ରହିବ । ସମସ୍ତ ଡାକ୍ତରଖାନା ମାନଙ୍କରେ ପୃଥକୀ କରଣ କକ୍ଷ ସଜାଗ ରହିବ । ଥଣ୍ଡାକାଶ ପିଡିତ ବ୍ୟକ୍ତି ନିକଟସ୍ଥ ସ୍ଭାସ୍ଥ୍ୟ କର୍ମୀଙ୍କୁ ସ୍ବତଃ ପ୍ରବୃତ ସୂଚନା ଦେବେ । କେହି ଏହା ଲୁଚାଇଲେ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେବ । ସର୍ବ ସାଧାରଣ ସମାବେଶକୁ ବାରଣ କରାଯାଇଛି । ସିନେମା ହଲ୍ ,ଜିମ୍, ସୁଇମିଂ ପୁଲ୍, ସର୍ବ ସାଧାରଣ କ୍ଲବ ପ୍ରଭୃତି ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ଉପ ଜିଲ୍ଲାପାଳ ମାନେ ୧୪୪ ଧାରା ପ୍ରୟୋଗ କରିପାରିବେ । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଏବଂ ମୋ ନିବେଦନ ଓ ଆମ ଗାଁ ତହସିଲ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଏବଂ ଶିକ୍ଷକମାନେ ନିୟମିତ ଉପସ୍ଥିତ ରହିବେ । ଯାନି ଯାତ୍ରା ଉପରେ କଟକଣା ଜାରି କରାଯିବ । ପାନ ପିକ ରୁ ନିବୃତ୍ତ ରହିବାପାଇଁ ଅନୁରୋଧ କରାଯାଇଛି । କେବଳ ରାଜ୍ୟସରକାରଙ୍କ ପ୍ରଦତ୍ତ ବାର୍ତ୍ତାକୁ ଗ୍ରହଣ କରିବାପାଇଁ କୁହାଯାଇଛି ।ସାମାଜିକ ଗଣ ମାଧ୍ୟମକୁ ଗୁରୁତ୍ବ ନ ଦେବାକୁ କୁହାଯାଇଛି । କୌଣସି ଘରୋଇ ସଂସ୍ଥା କରୋନା ପରୀକ୍ଷା କରିବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡିବାପାଇଁ କୁହାଯାଇଛି । ଜିଲ୍ଲା ସ୍ତରରେ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଜନ ସାଧାରଣ ଟେଲିଫୋନ୍ ନମ୍ବର ୦୬୮୦-୨୨୨୪୭୯୮ ଅଥବା ୯୪୩୯୯୮୩୯୫୬ କିମ୍ବା ଟୋଲ ଫ୍ରି ନମ୍ବର ୧୦୪ରେ ଯୋଗାଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ରାଜ୍ୟ ସ୍ତର ଟେଲି ଫୋନ୍ ନମ୍ବର ୦୬୭୪-୨୩୯୦୪୬୬ ରେ ଯୋଗାଯୋଗ କରିପାରିବେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।