ଭୁୁବନେଶ୍ୱର– କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରା ଯିବା ପରେ ବିଧାନସଭାକୁ ଆଗାମୀ ୨୯ ମାର୍ଚ ଯାଏ ସ୍ଥଗିତ କରା ଯାଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଏ ସମ୍ପର୍କିତ ପ୍ରସ୍ତାବକୁ ବିଜେପି ସଭ୍ୟ ମାନେ ବିରୋଧ କରିବା ସତ୍ୱେ ଏହାୁ ଧ୍ୱନୀ ମତରେ ପାରିତ କରା ଯାଇଛି ।
ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ପରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକ କରୋନା ପାଇଁ ବିଧାନସଭାର ଅଧିବେଶନକୁ ଆଗାମୀ ୨୯ ତାରିଖ ଯାଏ ସ୍ଥଗିତ କରିବାକୁ ଏକ ପ୍ରସ୍ତାବ ଆଣିଥିଲେ ।
ତେବେ ଏହାକୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ବିରୋଧ କରିଥିଲେ । ସେ କହିଥିଲେ ଯେ ଓଡିଶାରେ ବର୍ତମାନ ଯାଏ ଜଣେ ହେଲେ ପଜିଟିଭ ରୋଗୀ ବାହାରି ନାହାନ୍ତି ସେଭଳି ପରିସ୍ଥିତିରେ ବିଧାନସଭାକୁ ସ୍ଥଗିତ କରିବା ଠିକ ନୁହେଁ । ଏହା ଦ୍ୱାରା ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ । ସରକାର ଏହାକୁ ରୋକିବା ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ।
ସେ କହିଥିଲେ ଯେ ଯେତେବେଳେ ଦେଶର ସଂସଦ ଚାଲିଛି ଓ ସେଠାରେ ଥଣ୍ଡା ଅଧିକ ଥିବା କାରଣରୁ ସେଠାରେ କରୋନାର ଭୟ ଅଧିକ ରହିଛି । ସେଭଳି ପରିସ୍ଥିତିରେ ଓଡିଶା ବିଧାନସଭାକୁ ବନ୍ଦ କରିବା ଠିକ ନୁହେଁ । ବିଭିନ୍ନ ବିଭାଗ ପାଇଁ ଖର୍ଚ ଦାବି ଉପରେ ଆଲୋଚନା ନ କରା ଯାଇ ଏଭଳି ଗୃହକୁ ବନ୍ଦ କରିବାକୁ ସେ ବିରୋଧ କରିଥିଲେ ।
ତେବେ କଂଗ୍ରେସ ଏହି ପ୍ରସ୍ତାବକୁ ସମର୍ଥନକରିଥିଲା । ଏହା ପରେ ପ୍ରସ୍ତାବ ଧ୍ୱନୀମତରେ ପାରିତ କରା ଯାଇଥିଲା ।