ଭୁବନେଶ୍ୱର – ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସବ୍ୟାଙ୍କ ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଦୁଇ ଥର ଗୃହ ମୁଲତବୀ ହେଲା ପରେ ୧୧.୪୦ ମିନିଟରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା । ସେତେବେଳେ ମଧ୍ୟ ୍ର ବିଜେପି ସଭ୍ୟ ମାନେ ପୁନର୍ବାର ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଥିଲେ । ବାଚସ୍ପତି ବିଜେପି ସଭ୍ୟ ମାନଙ୍କୁ କହିଥିଲେ ଯେ ସେମାନେ ନିଜ ଆସନକୁ ଯାଆନ୍ତୁ ଓ ସେ ତାଙ୍କ ଦାବି ଉପରେ ରୁଲିଂ ପ୍ରଦାନ କରିବାକୁ ଯାଉଛନ୍ତି । ଏହା ପରେ ବିଜେପି ସଭ୍ୟ ମାନେ ସେମାନଙ୍କର ଆସନକୁ ଫେରି ଆସିଥିଲେ ।
ଏହା ପରେ ବାଚସ୍ପତି ଶ୍ରୀ ପାତ୍ର ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଣିବାକୁ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକଙ୍କୁ ନିର୍ଦେଶ ଦେଇଥିଲେ । ଏହା ପରେ ହଟ୍ଟଗୋଳର ଅବସାନ ଘଟିଥିଲା ।
ବାଚସ୍ପତି ଶ୍ରୀ ପାତ୍ର ଆହୁରି କହିଥିଲେ ଯେ ମାର୍ଚ ୧୨ ତାରିଖ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗୃହର ସଦସ୍ୟ ନ ଥିବା କିଛି ବ୍ୟକ୍ତିବିଶେଷଙ୍କର ନାମ ନେଇଥିଲେ । ଏହା ବିଧାନସଭାର ନିୟମାବଳୀର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବାରୁ ସେହି ବ୍ୟକ୍ତିବିଶେଷଙ୍କ ନାମ ବିଧାନସଭାର ବିବରଣୀରୁ ବାଦ ଦିଆ ଯିବାକୁ ସେ ନିର୍ଦେଶ ଦେଇଥିଲେ ।