ଭୁବନେଶ୍ୱର– ଷୋଡଶ ବିଧାନସଭାର ତୃତୀୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକର ତୃତୀୟ ଦିବସରେ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ବିଜେପି ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଗୃହରେ ଦେଖା ଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୩୨ରୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ସରକାରଙ୍କ ଅନୁମତି ନ ଥାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ଘରୋଇ ୟେସ ବ୍ୟାଙ୍କରେ ରଖା ଯାଇଥିବା ଘଟଣା ଉପରେ ତଦନ୍ତ କରିବା ପାଇଁ ଗୃହ କମିଟି ଗଠନ କରିବା ସହ ସିିବିଆଇ ତଦନ୍ତ କରିବା ଦାବି ଉପରେ ଅର୍ଥ ମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇ ନ ଥିବାର ପ୍ରତିବାଦରେ ବିଜେପି ସଭ୍ୟ ମାନେ ହଟ୍ଟଗୋଳ କରିଥିଲେ । ଅପର ପକ୍ଷରେ କଂଗ୍ରେସ ବିଧାୟକ ମାନେ ଉକ୍ତ ଘଟଣାକୁ ନେଇ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବାର ଦେଖା ଯାଇଥିଲା ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ଦିନ ପୂର୍ବାହ୍ନ ୧୦.୩୦ ମିନିଟରେ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ବିଜେପି ସଭ୍ୟ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ବାଚସ୍ପତି ଶ୍ରୀ ପାତ୍ର ବିଧାୟକ ମାନଙ୍କୁ ହଟ୍ଟଗୋଳରୁ ଓହରି ଆସି ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିଜେପି ବିଧାୟକ ମାନଙ୍କ ଉପରେ ଏହି ଅନୁରୋଧର କୌଣସି ପ୍ରଭାବ ପଡି ନ ଥିଲା । ଫଳରେ ବାଚସ୍ପତି ଗୃହକୁ ୧୦.୩୨ରୁ ୧୧.୩୦ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ରେ ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ମାତ୍ରେ ବିଜେପି ବିଧାୟକ ମାନେ ପୁଣି ଥରେ ସେହି ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଏହା ଫଳରେ ପୀଠାସୀନ ଅଧିକାରୀ ଗୃହକୁ ୧୧.୩୦ରୁ ଦଶ ମିନିଟ ପାଇଁ ଅର୍ଥାତ ୧୧.୪୦ ଯାଏ ମୁଲତବୀ ଘୋଷଣା କରିଥିଲେ ।