ଓଟାଓ୍ଵା– କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନା ସଂକ୍ରମିତ ହୋଇଥିବା ଗୁରୁବାର ଜଣା ପଡିଛି । ଏହା ପରେ ଏବେ ପ୍ରଧାନମନ୍ତ୍ରୀ ଜଷ୍ଟିସ୍ ଟ୍ରୁଡୋ ଦୁଇ ସପ୍ତାହ ପାଇଁ ପତ୍ନୀଙ୍କଠୁ ଅଲଗା ରହିବେ । ଏହା ବ୍ୟତୀତ କରୋନା ଭୂତାଣୁକୁ ରୋକିବା ପାଇଁ ଅଣ୍ଟୋରିଓ ପ୍ରାନ୍ତର ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ସୂଚନା ଅନୁଯାୟୀ, ସୋଫି ଗ୍ରେଗୋରୀ ଟ୍ରୁଡୋ ନିକଟରେ ଲଣ୍ଡନରୁ ଫେରିଥିଲେ । ଏହାର କିଛି ଦିନ ପରେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯିବାରୁ କରୋନା ଭୁତାଣୁ ପୋଜିଟିଭ ମିଳିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଗୁରୁବାର ପ୍ରକାଶ କରିଛି ।
ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପତ୍ନୀଙ୍କଠୁ ୧୪ ଦିନ ଅଲଗା ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜର କର୍ତବ୍ୟ ଜାରି ରଖିବେ ଏବଂ ଆସନ୍ତାକାଲି କାନାଡା ଲୋକଙ୍କୁ ସମ୍ବୋଧିତ କରିବେ । ଉଲ୍ଲେଖନୀୟ କାନାଡାରେ ୧୦ ପ୍ରାନ୍ତ ମଧ୍ୟରୁ ୭ ପ୍ରାନ୍ତରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୧୪୫ ନୂତନ ମାମଲା ହସ୍ତଗତ ହୋଇଛି । କରୋନା ଭୂତାଣୁରେ କାନାଡାରେ ଜଣଙ୍କର ମୃତ୍ୟୁ ଘଟିଛି । ସର୍ବାଧିଜ ଜନବହୁଳ ଅଂଚଳ ଅଣ୍ଟୋରିଓରେ ୧୭ଟି ନୂତନ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଏହି କାରଣରୁ ଶନିବାରଠୁ ଏପ୍ରିଲ ୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।