ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସକୁ ସମଗ୍ର ବିଶ୍ୱର ସମସ୍ୟା ବୋଲି ଦର୍ଶାଇବା ସହ ଦି ସାଉଥ୍ ଏସିଆନ ଆସୋସିଏସନ ଫର୍ ରିଜିଓନାଲ କୋପରେସନ (ସାର୍କ) ଦେଶ ମାନଙ୍କ ନେତୃତ୍ୱରେ ଏନେଇ ଏକ ମଜବୁତ ରଣନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଧାନ ମନ୍ତ୍ରୀ ମୋଦୀ ଶୁକ୍ରବାର ଟ୍ୱିଟ୍ କରିଥିଲେ ଯେ, ଆମ ମାଟି ମା ସମ୍ପ୍ରତି କୋଭିଦ-୧୯ କରୋନା ଭାଇରସ୍ ସହିତ ଜୁଝୁଛି । ସରକାର ଏବଂ ସାଧାରଣଜନତା ବିଭିନ୍ନ ସ୍ତରରେ ଏହାର ମୁକାବିଲା ନେଇ ପ୍ରୟାସ ଜାରୀ ରଖିଛନ୍ତି । ଦକ୍ଷିଣ ଏସିଆ ବିଶ୍ୱର ସବୁଠୁ ଜନଗହଳିପୂର୍ଣ୍ଣ ସ୍ଥାନ । ଏପରି ସ୍ଥିତିରେ ଆମକୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ଲୋକେ ଯେପରି ସୁସ୍ଥ ରହିବେ ଆମେ ସେନେଇ ସମସ୍ତ ପ୍ରଚେଷ୍ଟା ଜାରୀ ରଖିଛୁ ।
ନିଜର ଅନ୍ୟ ଏକ ଟ୍ୱିଟ୍ ରେ କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ସାର୍କ ଦେଶ ମାନଙ୍କ ନେତୃତ୍ୱରେ ଏକ ମଜବୁତ ରଣନୀତି ପ୍ରସ୍ତୁତି କରିବା ନେଇ ସେ ପ୍ରସ୍ତାବ ରଖିଥିଲେ । ଆମେ ନିଜର ନାଗରିକ ମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ନେଇ ଭିଡ଼ିଓ କନଫରେନ୍ସୀ ମାଧ୍ୟମରେ ଏ ବାବଦରେ ଆଲୋଚନା କରିପାରିବା । ଯାହାକି ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିବ ବୋଲି ସେ ଉଲ୍ଲେଖ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, (ସାର୍କ) ଦକ୍ଷିଣ ଏସିଆର ୮ଟି ଦେଶର ଆର୍ଥିକ ଓ ରାଜନୈତିକ ସଂଗଠନ ଅଟେ । ଭାରତ, ପାକିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ନେପାଳ, ମାଳଦୀପ, ଭୁଟାନ ଏବଂ ଆଫଗାନିସ୍ତାନ ଏହାର ସଦସ୍ୟ ରହିଛନ୍ତି । ସଂଗଠନର ସଦସ୍ୟ ଦେଶ ଗୁଡିକର ଜନସଂଖ୍ୟା ଦେଢ଼ ଶହ କୋଟି । ଯାହାକି କୌଣସି କ୍ଷେତ୍ରିୟ ସଂଗଠନ ତୁଳନାରେ ଯଥେଷ୍ଟ ପ୍ରଭାବଶାଳୀ ।