ବାରିପଦା– ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ବିଭାଗର ହିଟଲାରୀ ଶାସନରେ ଉପଭୋକ୍ତା ତ୍ରାହିତ୍ରାହି ଡ଼ାକ ଛାଡ଼ିଲେଣି । କେତେବେଳେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ବ୍ୟକ୍ତିଙ୍କୁ ବିଦ୍ୟୁତ୍ ବିଲ୍ ଦିଆଯାଉଥିବା ଅଭିଯୋଗ ଆସିଲାଣି ତ ପୁଣି କେତେବେଳେ ହଜାର ହଜାର ଟଙ୍କାର ବିଲ୍ ଆସିଲାଣି । ସେହିପରି ବିଭିନ୍ନ ସମୟରେ ଅଘୋଷିତ ଭାବେ ଘଂଟା ଘଂଟା ବିଦ୍ୟୁତ୍ କାଟ୍ ଜାରି ରହୁଛି ଓ ଉପଭୋକ୍ତାମାନଙ୍କୁ ପ୍ରତ୍ୟେକ ମାସରେ ବିଦ୍ୟୁତ୍ ବିଲ ପ୍ରଦାନ କରାନଯାଇ ୩/୪ ମାସରେ ଥରେ ବିଦ୍ୟୁତ୍ ବିଲ୍ ପ୍ରଦାନ କରାଯାଉଥିବାର ଅଭିଯୋଗ ଆସୁଛି । ବିଭାଗର ଏହି ପ୍ରକାରର ସ୍ୱେଚ୍ଛାଚାରୀ ମନୋଭାବ କାରଣରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ସମୟରେ ବର୍ତମାନ ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ନାମରେ ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଯାଉଛି । ଜିଲ୍ଲାରେ ବିଦ୍ୟୁତ୍ ବିଭାଗର ଏହି ପ୍ରକାରର କାର୍ଯ୍ୟ ଜାରି ରହିଥିବା ସମୟରେ ଗୁରୁବାର ଉଦଳା ଥାନା ଅଂଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନକୁ ନେଇ ବିବାଦ ଦେଖା ଦେଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଉଦଳା ଥାନା ଅନ୍ତର୍ଗତ ତଥା ଉଦଳା ନେସ୍କୋ ଅଧୀନରେ ଥିବା କୁଟୁଲିଂ ଗ୍ରାମରେ ରହିଥିବା ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ରହିଥିବା କାରଣରୁ ଗ୍ରାମରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ପହଁଚି ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ଏହାପରେ କେତେକ ଉପଭୋକ୍ତା ସ୍ଥାନୀୟ ନେସ୍କୋ କାର୍ଯ୍ୟାଳୟରେ ପହଁଚି ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ୍ ସଂଯୋଗ ନକରାଯିବାର କାରଣ ସମ୍ପର୍କରେ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି ଓ ହାତାହାତି । ଉଦଳା ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ହାତାହାତି ସମୟରେ ବିଦ୍ୟୁତ୍ ବିଭାଗର ଜେଇ ତାପସ କୁମାର ସାହୁଙ୍କ ସହିତ ଅନ୍ୟ ଦୁଇ ଜଣ ବିଭାଗୀୟ କର୍ମଚାରୀ ଉପଭୋକ୍ତାଙ୍କ ମାଡ଼ରେ ଆହତ ହୋଇଥିବାର ଦର୍ଶାଯାଇଥିବା ସମୟରେ ଜେଇ ତାପସ କୁମାର ସାହୁ ଓ ଅନ୍ୟ ବିଦ୍ୟୁତ୍ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଉପଭୋକ୍ତା ଚନ୍ଦନ ବିଶ୍ୱାଳ ଗୁରୁତର ଭାବେ ଆହତ ହୋଇଛନ୍ତି । ଚନ୍ଦନ ବିଶ୍ୱାଳଙ୍କ ହାତ, ମୁଣ୍ଡ, ମୁହଁରେ ଆଘାତ ଲାଗିଛି ଓ ଆଖିରେ ମାଡ଼ ବାଜିଥିବାରୁ ଆଖି ଫୁଲି ଯାଇଛି । ଥାନା ଅଧିକାରୀ ଉଭୟ ପକ୍ଷର ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି ।
ତେବେ ଚନ୍ଦନ ବିଶ୍ୱାଳଙ୍କ କହିବା ଅନୁସାରେ ପ୍ରତ୍ୟେକ ମାସରେ ବିଲ୍ ନ ଦେଇ ୩ ମାସ ବ୍ୟବଧାନରେ ବିଲ ଦିଆଯାଉଥିବାରୁ ଏକକାଳୀନ ବିଦ୍ୟୁତ୍ ବିଲ୍ ପୈଠ କରିବା ସମ୍ଭବପର ହେଉ ନାହିଁ । ଫଳରେ ବିଲ୍ ବକେୟା ରହିଆସୁଛି । ମାତ୍ର ବକେୟା ବିଦ୍ୟୁତ୍ ଶୁଳ୍କ କିସ୍ତି ସୂତ୍ରରେ ଆଦାୟ କରାନଯାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବାର ଆଇନଗତ ଦିଗ ଉପରେ ପ୍ରଶ୍ନ କରିବାରୁ ସେଥିରେ ଉତକ୍ଷିପ୍ତ ହୋଇ ଜେଇ ତାପସ କୁମାର ସାହୁ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି ।