ନୂଆଦିଲ୍ଲୀ– ଚୀନ୍ ରୁ ଆଇଟିବିପି କ୍ୱାରଂଟାଇନ କେନ୍ଦ୍ର ଛାବଲାକୁ ଅଣାଯାଇଥିବା ୧୧୨ ଜଣ ଲୋକଙ୍କୁ ଶୁକ୍ରବାର ନିଜ ନିଜର ଘରକୁ ପଠାଇ ଦିଆଯାଇଛି ।
ରାଜ୍ୟ ଗୃହ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ତଥା ଆଇଟିବିପିର ନିର୍ଦ୍ଦେଶକ ଏସ.ଏସ. ଦେସବାଲ ଆଜି ଛାବଲା ଆଇଟିବିପି କ୍ୱାରଂଟାଇନ କେନ୍ଦ୍ରରେ ସମସ୍ତ ନାଗରିକଙ୍କୁ ଭେଟିବା ସହ ସେମାନଙ୍କୁ ଗୋଟିଏ ଲେଖାଏଁ ଗୋଲାପ ଫୁଲ, ଆଇଟିବିପିର କ୍ୟାଲେଣ୍ଡର ଓ ସୁସ୍ଥ ଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
କରୋନା ଭାଇରସ୍ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ଚୀନ୍ ର ବୁହାନରୁ ଗତ ଫେବୃଆରୀ ୨୭ ତାରିଖରେ ଭାରତ ଅଣାଯାଇଥିବା ୧୧୨ ଜଣଙ୍କ ରକ୍ତ ନମୁନା ପ୍ରଥମେ ସେହିଦିନ ପରୀକ୍ଷା କରାଯାଇଥିଲା । ପରେ ଏହାର ୧୪ ଦିନ ପରେ ପୁର୍ନବାର ମାର୍ଚ୍ଚ ୧୧ ତାରିଖରେ ସନ୍ଦିଗ୍ଧ ମାନଙ୍କ ରକ୍ତ ନମୂନା ଯାଂଚ୍ କରାଯାଇଥିଲା । ହେଲେ ରିପୋର୍ଟରୁ ତାହା ନେଗେଟିଭ୍ ମିଳିଥିଲା ।
ଏହି ଗୃପ୍ ରେ ୭୬ ଜଣ ଭାରତୀୟ ଏବଂ ୩୬ ଜଣ ବିଦେଶୀ ନାଗରିକ ରହିଛନ୍ତି । ତନ୍ମଧ୍ୟରେ ୫ ଜଣ ଶିଶୁ ଓ ୮ଟି ପରିବାର ରହିଛନ୍ତି । ବିଦେଶୀ ନାଗରିକଙ୍କ ଏହି ଗୃପ୍ ରେ ଚୀନ୍ ରୁ ୬ ଜଣ, ବାଙ୍ଗଲାଦେଶରୁ ୨୩ ଜଣ, ମିଆଁମାରରୁ ୨ ଜଣ, ମାଳଦୀପରୁ ୨ ଜଣ, ଆମେରିକାରୁ ଜଣେ, ଦକ୍ଷିଣ ଆଫ୍ରିକାରୁ ଜଣେ, ଓ ମେଡାଗାସ୍କରରୁ ଜଣେ ନାଗରିକ ସାମିଲ୍ ଅଛନ୍ତି । ଏ ସମସ୍ତ ଆଗନ୍ତୁକ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ଆଇଟିବିପିର ଡ଼ାକ୍ତର ନିୟମିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଇଟିବିପିର ଏହି କେନ୍ଦ୍ର ଦେଶର ସବୁଠୁ ବଡ଼ କ୍ୱାରଂଟାଇନ୍ କେନ୍ଦ୍ର । ଯେଉଁଠାରେ କି, ଏପର୍ଯ୍ୟନ୍ତ ବୁହାନରୁ ଅଣାଯାଇଥିବା ୫୧୮ ଲୋକଙ୍କ ସଫଳତାପୂର୍ବକ କ୍ୱାରଂଟାଇନ୍ କରାଯାଇଛି । ତନ୍ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।