

ହରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ପ୍ରକୃତି ରାଣୀର ମୁଖ୍ୟ ଗନ୍ତାଘର ଆଖ୍ୟା ପାଇଥିବା ବେଳେ କୋଣ ଅନୁକୋଣରେ ପ୍ରକୃତିର ଦାନ, ଜଳପ୍ରପାତ, ଖଣିଜପଦାର୍ଥ, ଗିରିଶୃଙ୍ଗ, ଗୁମ୍ପା ତଥା ପୁରାତନ ଧର୍ମ ସ୍ଥଳୀ ଖୁନ୍ଦି ହୋଇ ରହିଥିବା ସହ ବହୁ ପୂରାତନ ମନ୍ଦିରମାନ ରହିଛି । ତନ୍ମଧ୍ୟରୁ ଆନନ୍ଦପୁରର ଗଡଚଣ୍ଡୀ ମନ୍ଦିର ଅନନ୍ୟ କିମ୍ବଦନ୍ତୀ । ୧୬୦୦ ଶତାବ୍ଦୀର କିମ୍ବଦନ୍ତୀ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରନ୍ତି । ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ ପାଠ କଲେ ମାଙ୍କ ମହିମା ଜଣାପଡେ ।
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସ୍ଥିତ ମା ଗଡଚଣ୍ଡୀ ଠାକୁରାଣୀ ପୀଠର ଅବଲୋକନ ମା ଗଡଚଣ୍ଡୀ କେବେ ହେଲେ ସେଠାକୁ ଆସୁଥିବା ଭକ୍ତମାନଙ୍କୁ ନିରାଶ କରନ୍ତି ନାହିଁ । ମା ସବୁ ବେଳେ ହସିହସି ଭକ୍ତର ଦୁଃଖକୁ ଲାଘବ କରିଥାଆନ୍ତି, ଏମିତିକି ଅପୁତ୍ରିକର ପୁତ୍ର ମଧ୍ୟ ଲାଭ ହୁଏ । ଗଡଚଣ୍ଡୀର ପ୍ରତିଷ୍ଠାତା ଡଃ. ହରେକୃଷ୍ଣ ମହତାବଙ୍କ ବଂଶଧର ବୋଲି ଶୁଣିବାକୁ ମିଳେ । ରାଜା ଗୋପିନାଥ ଭଞ୍ଜଙ୍କ ଗଡଜାତ ସମୟର ଅଲୌକିକ ପୁରାଣ ବର୍ଣ୍ଣିତ ଏହି ଗଡଚଣ୍ଡୀରୁ ନୀତିଶିକ୍ଷା ମିଳେ । ଗଡଚଣ୍ଡୀ ପୀଠ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଗତ ୧୯୯୮ ମସିହାରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟାଘେରରେ ରହିଛି । ସେଠାରେ ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ମନ୍ଦିର ପୂଜା କମିଟିର ମୁଖ୍ୟ ପରିଚାଳକ ଉପେନ୍ଦ୍ର କୁମାର ଦାସ ମତବ୍ୟକ୍ତ କରନ୍ତି । ସରକାରୀ ସ୍ତରରେ ସେଠାରେ ପାନ୍ଥଶାଳା ଥିଲେ ମଧ୍ୟ ବ୍ୟୟବହୁଳ ହୋଇଥିବାରୁ ପର୍ଯ୍ୟଟକ, ପ୍ରକୃତିପ୍ରେମୀ, ପରିବେଶବିତ୍, ଭକ୍ତମାନଙ୍କ ସୁହାଇବା ଭଳି ନଥିବା ହେତୁ ସେଠାରେ ରହିବାକୁ କେହି ସାହାସ କରୁନାହାନ୍ତି । ଗଡଚଣ୍ଡୀର ମୁଖ୍ୟ ସମସ୍ୟା କହିଲେ ନିକଟରେ ଝରଣା ଅଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସ୍ବଚ୍ଛ ପାନୀୟ ଜଳ ଓ ବିଦ୍ୟୁତିକରଣର ବ୍ୟବସ୍ଥା ସେଠାରେ କରାଯାଇନାହିଁ । ଯାହା ଫଳରେ ପ୍ରତ୍ୟେକ ଦିନ ସେଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ, ତଥା ଭକ୍ତମାନେ ପାନୀୟ ଜଳ ସହ ଅନ୍ଧକାରରେ ରାତ୍ରୀ ଯାପନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେଠାରେ ଅତିଶୀଘ୍ର ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ସହ ବିଦ୍ୟୁତକରଣ କରାଇବାକୁ ଏ ଅଞ୍ଚଳବାସୀ ଓ ମନ୍ଦିର କମିଟି ପକ୍ଷରୁ ଦାବି ହୋଇଛି । 
