 
                ଭୁବନେଶ୍ୱର – କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯିବା ପରେ ବିଧାନସଭାକୁ ଆଗାମୀ ୨୯ ମାର୍ଚ ଯାଏ ସ୍ଥଗିତ ରଖାଯାଇଛି ।  ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଏ ସମ୍ପର୍କିତ ପ୍ରସ୍ତାବକୁ ବିଜେପି ସଭ୍ୟ ମାନେ ବିରୋଧ କରିବା ସତ୍ୱେ ଏହା ଧ୍ୱନୀ ମତରେ ପାରିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ପରେ  ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକ କରୋନା ପାଇଁ ବିଧାନସଭାର ଅଧିବେଶନକୁ ଆଗାମୀ ୨୯ ତାରିଖ ଯାଏ ସ୍ଥଗିତ କରିବାକୁ ଏକ ପ୍ରସ୍ତାବ ଆଣିଥିଲେ ।
ତେବେ ଏହାକୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ବିରୋଧ କରିଥିଲେ । ସେ କହିଥିଲେ ଯେ  ଓଡିଶାରେ ବର୍ତମାନ  ଯାଏ ଜଣେ ହେଲେ ପଜିଟିଭ ରୋଗୀ ବାହାରି ନାହାନ୍ତି ସେଭଳି ପରିସ୍ଥିତିରେ ବିଧାନସଭାକୁ ସ୍ଥଗିତ କରିବା ଠିକ ନୁହେଁ । ଏହା ଦ୍ୱାରା   ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି  ହେବ ।  ସରକାର ଏହାକୁ ରୋକିବା ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ  ଗ୍ରହଣ କରନ୍ତୁ ।
ସେ କହିଥିଲେ ଯେ  ଯେତେବେଳେ ଦେଶର ସଂସଦ ଚାଲିଛି ଓ ସେଠାରେ ଥଣ୍ଡା  ଅଧିକ ଥିବା କାରଣରୁ ସେଠାରେ କରୋନାର ଭୟ ଅଧିକ ରହିଛି । ସେଭଳି ପରିସ୍ଥିତିରେ ଓଡିଶା ବିଧାନସଭାକୁ ବନ୍ଦ କରିବା ଠିକ ନୁହେଁ । ବିଭିନ୍ନ ବିଭାଗ ପାଇଁ ଖର୍ଚ ଦାବି  ଉପରେ ଆଲୋଚନା ନ କରା ଯାଇ ଏଭଳି ଗୃହକୁ ବନ୍ଦ କରିବାକୁ ସେ ବିରୋଧ କରିଥିଲେ ।
ତେବେ କଂଗ୍ରେସ ଏହି ପ୍ରସ୍ତାବକୁ ସମର୍ଥନକରିଥିଲା । ଏହା ପରେ ପ୍ରସ୍ତାବ ଧ୍ୱନୀମତରେ ପାରିତ କରା ଯାଇଥିଲା ।
                            
                        
	                    
 
                    







