ଭୁବନେଶ୍ୱର– ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସ ଓ ଆବାସିକ ବିଦ୍ୟାଳୟରେ ପ୍ରାୟ ୯ ହଜାର ମହିଳା ଓ ପୁରୁଷ ରୋଷେୟା ତଥା ସେବାୟତ କାମ କରୁଛନ୍ତି । ପ୍ରାଥମିକ ସ୍ତରରେ ଏହି କର୍ମଚାରୀ ମାନେ ନିୟମିତ ଭାବେ ନିଯୁକ୍ତି ହୋଇ ନ ଥାନ୍ତି ବରଂ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଅର୍ଧକୁଶଳୀ ଶ୍ରମିକ ଭାବେ ନିଯୁକ୍ତ ହୋଇ ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ନିର୍ଧାରିତ ମଜୂରୀ ପ୍ରାପ୍ତ ହୋଇଥାନ୍ତି । ବିଧାନସଭାରେ କିଶୋର ଚନ୍ଦ୍ର ନାୟକଙ୍କ ଏ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଅର୍ଥ ବିଭାଗର ନିର୍ଦେଶାବଳୀ ଅନୁଯାୟୀ ୧୨ ଏପ୍ରିଲ ୧୯୯୩ ମସିହା ପୂର୍ବରୁ ନିୟୋଜିତ ହୋଇଥିବା କୁକ କମ ଆଟେଣ୍ଡାଂଟ ମାନଙ୍କୁ ନିୟମିତ କରା ଯିବାର ବ୍ୟବସ୍ଥା ରହିଛି ।
ସେ କହିଛନ୍ତି ଯେ ନିକଟ ଅତୀତରେ ଏହି ବର୍ଗର ୩୯୨ ସଂଖ୍ୟକ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ମାନ୍ୟତା ପ୍ରଦାନ କରା ଯାଇ ପରବର୍ତୀ ସମୟରେ ଖାଲି ଥିବା ମଂଜୁରୀ ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଗୁଡିକରେ ନିୟମିତ କରାଯାଉଛି ।