-
ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବିରେ ରାଜ୍ୟପାଳଙ୍କୁ ପୁରୀ ଜିଲ୍ଲା କଂଗ୍ରେସର ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର – ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଜମା କରାଯିବା ଘଟଣାର ସିବିଆଇ ତଦନ୍ତ ଦାବିରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଏଆଇସିସି ସଭ୍ୟ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ବିଶ୍ୱ ଭୂଷଣ ଦାସ, ବିଦ୍ୟୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ଲଲାଟେନ୍ଦୁ ଦାସ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜୟ ନାରାୟଣ ପଟ୍ଟନାୟକ, ନିରଞ୍ଜନ ରଥ, ବିଶ୍ୱନାଥ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସେମାନେ ଅଭିଯୋଗ କରିଛନ୍ତି ଯେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଗୁରୁତର ଆର୍ôଥକ ସଙ୍କଟରେ ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଥିବା ଏକ ସମ୍ବେଦନ ଓ ସ୍ପର୍ଶକାତର ଘଟଣା । ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଆମ ଓଡ଼ିଆ ଜାତି ପାଇଁ ଏକ ନିନ୍ଦନୀୟ ଘଟଣା । ଚିଟ୍ ଫଣ୍ଡ ପରେ ଏବେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଉପରେ ସରକାରଙ୍କ ଲକ୍ଷ୍ୟ । ତେଣୁ ଉକ୍ତ ଅର୍ଥକୁ ୟେସ ବ୍ୟାଙ୍କରୁ ଫେରସ୍ତ ଆଣି ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ତୁରନ୍ତ ନିର୍ଦ୍ଦେଶ ଦେବା, ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରସ୍ତ ଓ ସୁରକ୍ଷିତ, ଘଟଣାଟିର ନିରପେକ୍ଷ ତଦନ୍ତ ଓ ମନ୍ଦିରର ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ଦୁର୍ନିତୀରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଉକ୍ତ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି ।