ଜୟପୁର– ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରାୟୋଗିକ ବିଭାଗ ଦ୍ୱାରା ରୋବଟ ଓ କୃତ୍ରିମ ବୃଦ୍ଧି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଭବାନୀପାଟଣା ସ୍ଥିତ ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ପ୍ରକଳ୍ପ ସହାୟକ ତେଜେଶ୍ୱର ରଥ ଏବଂ ସହାୟକ ଗବେଷକ ବସନ୍ତ କୁମାର ସ୍ୱାଇଁ ଯୋଗଦାନ କରି ରୋବଟ୍ ଓ କୃତିମ ବୃଦ୍ଧି ଉପରେ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାତ୍ୱିକ ଏବଂ ପ୍ରୟୋଗିକ ଜ୍ଞାନ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଜୟପୁର, ଲମତାପୁଟ ଓ ବୈପାରିଗୁଡା ବ୍ଲକର ପ୍ରାୟ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୧୨୦ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରି ରୋବଟ ଓ କୃତ୍ରିମ ବୁଦ୍ଧିମତା ଉପରେ ଜ୍ଞାନ ଆହରଣ କରିଥିଲେ । ଏହି କର୍ମଶାଳା ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା । ଛାତ୍ର ଛାତ୍ରୀ ମାନେ ପ୍ରତିବନ୍ଧକ ଏଡାଇଥିବା ରୋବଟ୍, ଧାଡି ଅନୁକରଣକାରୀ ରୋବଟ୍, ବ୍ଲୁଟୁଥ ନିୟନ୍ତ୍ରଣକାରୀ ରୋବଟ୍ ବିଷୟରେ ଅଗବତ ହେବା ସହ ରୋବଟର ବିଭିନ୍ନ ଅଂଶ ଏବଂ ଏହାର ନିର୍ମାଣ କୌଶଳ ଶିକ୍ଷା କରିଥିଲେ । ଏହି ଅନୁଷ୍ଠାନ ତରଫରୁ ୬ଟି ଜିଲାରେ ପ୍ରାୟ ୬ ଶହ ସରକାରୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃ୍ଦ୍ଧି କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟକୁ ଗୋଟିଏ ଗୋଟିଏ ଉଚ୍ଚ ମାନର ରୋବଟ କିଟ୍ ପ୍ରଦାନ କରାଯାଇଛି ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଦିଲୀପ କୁମାର ପଣ୍ଡା, ଏମ୍. ଯୋଗେଶ୍ୱର, ଦେବେନ୍ଦ୍ର କୁମାର ପାଢୀ, ଦୁର୍ଗା ପ୍ରସାଦ ପାତ୍ର, ଗୋପାଳ ମଣ୍ଡଳ, କଲ୍ୟାଣୀ ନାୟକ, ସୋମନାଥ ସାକିଆଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।