ନୂଆଦିଲ୍ଲୀ– ଇରାନରେ ଫଶିଥିବା ଛାତ୍ରଙ୍କ ସହିତ ସମ୍ପର୍କ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ସମ୍ବନ୍ଧୀୟ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ଭାଇରସ୍ ବ୍ୟାପୀବା ପରେ ଇରାନରେ ଫଶିଥିବା ଭାରତୀୟ ଛାତ୍ର ମାନଙ୍କୁ ସେଠାରୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଆବେଦନ କଶ୍ମୀର ଲୋକଙ୍କ ଦ୍ୱାରା ଆଗତ କରାଯାଇଛି । ଯେଉଁମାନଙ୍କ ପିଲା ମାନେ ଇରାନରେ ପାଠ ପଢୁଛନ୍ତି । ବିଚାରପତି ଆଇଏସ ମେହେଟ୍ଟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ନାଗରିକ ବିମାନ ମନ୍ତ୍ରଣାଳୟକୁ ଗତ ମାର୍ଚ୍ଚ ୩ ତାରିଖରେ ଏନେଇ ନୋଟିସ୍ ଜାରୀ କରିବା ସହ ଜବାବ ମାଗିଥିଲେ । ଏହି ଆବେଦନ ଜରିଆରେ ଦାବି କରାଯାଇଛି ଯେ, ଇରାନରେ ପାଠ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଭାରତ ଫେରାଇ ଅଣାଯିବା ଆବଶ୍ୟକ । ଏଥି ସହିତ ଇରାନର ବିଶ୍ୱବିଦ୍ୟାଳୟରେ ଫଶିଥିବା ଛାତ୍ରମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସୁବିଧା ଓ ମାସ୍କ ବ୍ୟବସ୍ଥା କରିବାକୁ ବିଦେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଜାରୀ କରିବାକୁ ଏହି ଆବେଦନରେ ଦାବି କରାଯାଇଛି ।
ଏହି ଆବେଦନରେ ଦର୍ଶାଯାଇଛି ଯେ, ଇରାନ୍ ସରକାର ନିଜ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ କରି ଦେଇଛନ୍ତି ଏବଂ ପରୀକ୍ଷା ଗୁଡିକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଅନ୍ୟପକ୍ଷରେ ଭାରତ ଫେରିବାକୁ କୌଣସି ବିମାନ ସେବା ନଥିବାରୁ ଇରାନରେ ଫଶିଥିବା ଛାତ୍ର ମାନେ ଏନେଇ ଚିନ୍ତିତ ଅଛନ୍ତି । ଏଥିପାଇଁ ଇରାନ ସ୍ଥିତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପୟାସ କରାଯାଇଥିଲେ ସୁଦ୍ଧା ସେଠାରୁ କୌଣସି ସହାୟତା ମିଳିପାରିନାହିଁ ।
ଏହି ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଭାରତ ସରକାର ଚୀନ୍, ଜାପାନ ଏବଂ ଇଟାଲିରୁ ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ, ଇରାନରେ ଫଶିଥିବା ଛାତ୍ର ମାନଙ୍କ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ ।