ସିମଲା– ହିମାଚଳ ପ୍ରଦେଶରେ ମାର୍ଚ୍ଚ ମାସରେ ବି ପ୍ରତିକୂଳ ପାଗ ଅନୁଭୁତ ହୋଇଛି । ପାହାଡିଆ ଅଂଚଳର ଅନେକ ସ୍ଥାନରେ ବରଫପାତ ସହିତ ବୃଷ୍ଟିପାତ କାରଣରୁ ତାପମାତ୍ରାରେ ଅହେତୁକ ହ୍ରାସ ଘଟିଛି । ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ପାହାଡି ଓ ଜନଜାତୀୟ ଇଲାକାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ସିମଲା ସହିତ ଚାରୋଟି ଜିଲ୍ଲାରେ ପାରଦ ମାଇନସକୁ ଖସି ଆସିଛି । ଗୁରୁବାର ସକାଳେ ପ୍ରବଳ ତୁଷାରପାତ କାରଣରୁ ସିମଲା ଜିଲ୍ଲାର ଉପର ଅଂଚଳରେ ଯାତାୟାତ ଓ ପରିବହନ ପ୍ରଭାବିତ ହୋଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲାହୋଲ-ସ୍ପିତିର କେଲଙ୍ଗ ରାଜ୍ୟର ସବୁଠୁ ଥଣ୍ଡା ଅଂଚଳ ଭାବେ ପରିଗଣିତ ହୋଇଛି । ଏଠାରେ ତାପମାତ୍ରା -୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିନୌର କଲପାରେ ସର୍ବନିମ୍ନ ତାପମାତ୍ରା -୦.୯ ଡିଗ୍ରୀ, ମନାଲିରେ -୦.୮ ଡିଗ୍ରୀ ଓ ବୁଫରିରେ ତାପମାତ୍ରା -୦.୭ ଡିଗ୍ରୀ ସେଲସିୟସ୍ ରହିଛି । ଏହା ବ୍ୟତୀତ ଚମ୍ବା ଜିଲ୍ଲାର ଡହଲୌଜୀରେ ତାପମାତ୍ରା ୦.୮ ଡିଗ୍ରୀ, ସିମଲାରେ ୨.୫ ଡିଗ୍ରୀ, ସିଓବାଗରେ ୫ ଡିଗ୍ରୀ, ଜୁବହଡ୍ଡୀରେ ୬.୩ ଡିଗ୍ରୀ, ପାଲମପୁରରେ ୭ ଡିଗ୍ରୀ, ଭୂନ୍ତରରେ ୭.୩ ଡିଗ୍ରୀ, ସୋଲନରେ ୭.୫ ଡିଗ୍ରୀ, ଧର୍ମଶାଳାରେ ୭.୬ ଡିଗ୍ରୀ, ମଣ୍ଡିରେ ୮.୪ ଡିଗ୍ରୀ, ଚମ୍ବାରେ ୮.୬ ଡିଗ୍ରୀ, ସୁନ୍ଦରନଗରରେ ୮.୭ ଡିଗ୍ରୀ, କାଙ୍ଗଡାରେ ୧୦ ଡିଗ୍ରୀ, ଉନାରେ ୧୧.୨ ଡିଗ୍ରୀ ସେଲସିୟସ୍ ରହିଛି ।
ସିମଲାର ପାଣିପାଗ ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି, ପଶ୍ଚିମରେ ଅସ୍ୱାଭାବିକ ପାଣିପାଗ କାରଣରୁ ରାଜ୍ୟରେ ବର୍ଷା ଓ ତୁଷାରପାତ ଜାରି ରହିଛି । ଆଗାମୀ ୨୪ ଘଂଟାରେ ରାଜ୍ୟର ପାହାଡି ଅଂଚଳରେ ତୁଷାରପାତ ଓ ସମତଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ସିଂହ କହିଛନ୍ତି ।