ନୂଆଦିଲ୍ଲୀ– ଦେଶରେ ପୁଣି ୧୩ ଜଣଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ୍ ମିଳିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନ୍ୟାନ୍ୟ ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ତଦନୁଯାୟୀ କୌଣସି ଦେଶର ନାଗରିକଙ୍କୁ ଆସନ୍ତା ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ଆସିବା ନେଇ ଭିସା ଦିଆଯିବ ନାହିଁ ।
ଏହି ୧୩ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୦ ଜଣ ଉତରପ୍ରଦେଶ, ଜଣେ ତେଲେଙ୍ଗାନା, ଜଣେ ରାଜସ୍ଥାନ ଏବଂ ଅନ୍ୟ ଜଣେ ଜମ୍ମୁ-କଶ୍ମୀରର ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲ୍ୟୁଏଚଓ) ଦ୍ୱାରା କୋଭିଦ -୧୯ରୁ ବ୍ୟାପୁଥିବା ଏହି ରୋଗକୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ଆମେରିକା ଓ ବ୍ରିଟେନକୁ ଛାଡି ବିଶ୍ୱର ସମସ୍ତ ଦେଶ ପାଇଁ ନିଜର ଦ୍ୱାର ବନ୍ଦ କରିଛି ଭାରତ ।
ବିଶ୍ୱରେ ୪୬୦୦ ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ସାରିଲେଣି । ବର୍ତମାନ ସୁଦ୍ଧା ଏଭଳି ଏକ ଘାତକ ରୋଗର ଔଷଧ ବାହାରି ପାରିନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଲୋକେ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ନିୟମିତ ବ୍ୟବଧାନରେ ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତ ସଫା କରିବା ଆବଶ୍ୟକ । ଥଣ୍ଡା, ସର୍ଦ୍ଦି, କାଶରେ ଆକ୍ରାନ୍ତ ଲୋକଙ୍କ ଠାରୁ ଦୂରତା ରଖିବା ଆବଶ୍ୟକ । କାରଣ ଏହାଦ୍ୱାରା ସଂକ୍ରମଣର ଆଶଙ୍କା ଯଥେଷ୍ଟ ଅଧିକ ରହିଛି । ତେଣୁ ଏନେଇ ଜନସାଧାରଣ ସତର୍କ ଓ ସାବଧାନ ରହିବା ଉଚିତ୍ ।