କଣାସ– ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହୁପଡା ଗ୍ରାମପଂଚାୟତର ଅଞ୍ଜିରା ଗ୍ରାମରେ ନବନିର୍ମିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୮ତାରିଖଠାରୁ ଆରମ୍ଭ ହେଉଥିବା ପ୍ରତିଷ୍ଠା ଉତ୍ସବ ଗତକାଲି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୭୧୨ ଜଣ ବ୍ରତଧାରୀ ମହିଳା ଓ ପୁରୁଷ ମକରା ନଦୀର କାଦୁଆ ଘାଟରୁ ପୂଜାର୍ଚ୍ଚନା କରି କଳସରେ ଜଳଭରି ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିବା ଯଜ୍ଞ ସ୍ଥଳରେ ଆସି ପହଂଚି ଥିଲେ । ୪ ଦିନ ଧରି ବୈଦିକ ଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା ବ୍ୟବସ୍ଥା ପଣ୍ଡିତ ସୁବାସ ପୁରୋହିତ ଓ ସାଥୀ ବ୍ରାହ୍ମଣ ମଣ୍ଡଳି ସମ୍ପାଦନ କରିଥିଲେ । ଇନ୍ଦ୍ରମଣି ଶ୍ରୀଚନ୍ଦନ ଓ ବନୀତା ଶ୍ରୀଚନ୍ଦନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ । ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କ ତତ୍ୱାବଧାନରେ ଏହି ଯଜ୍ଞ ଓ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଷ୍ଠା ଉତ୍ସବରେ ଜଟଣୀ ବିଧାୟକ ସୁରେସ କୁମାର ସାମନ୍ତରାୟ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲା ବି.ଜେ.ପି ସଭାପତି ଆଶ୍ରିତ ପଟ୍ଟନାୟକ, ସୁରଥ ବିଶ୍ୱାଳ, ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଠାକୁରଙ୍କୁ ଦର୍ଶନ କରିଥିଲେ । ଗାଁର ପ୍ରତ୍ୟେକ ଝିଅ ଜ୍ୱାଇଁଙ୍କୁ ପ୍ରତିଷ୍ଠା କରାଯାଉଥିବା ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ୪ ଦିନ ବ୍ୟାପୀ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।