
କଣାସ– ପୁରୀ ଜିଲ୍ଲା କଣାସ ବ୍ଲକର ମୁଖ୍ୟ ପର୍ବ ପଚୁଂ ଦୋଳ ମେଲଣ ପାଇଁ କଣାସ, ଦୋକନ୍ଦା, ସିରେଇ, ଜଙ୍କିଆ, ଅଣ୍ଡାରସିଂହ ଆଦି ଗ୍ରାମ ବେଶ୍ ଚଳଚଂଚଳ ହୋଇଉଠିଛି । ଆସନ୍ତା ୧୪ ତାରିଖ ଦିନ ଏହି ୫ଟି ସ୍ଥାନରେ ପୃଥକ୍ ପୃଥକ୍ ଭାବେ ମେଲଣ ଅନୁଷ୍ଠିତ ହେବାକୁ ଥିବାରୁ ଗ୍ରାମବାସୀ ଏବଂ ଗ୍ରାମ୍ୟ କମିଟି କର୍ମକର୍ତାମାନେ ବସି କିପରି ଚଳିତ ବର୍ଷ ପଂଚୁଦୋଳ ମେଲଣ ସରସ ସୁନ୍ଦର ଭାବେ ଆୟୋଜନ ହେବା ସହିତ ଏଥିରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଜଙ୍କିଆ ମେଲଣରେ ଅତ୍ୟଧିକ ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାପାଇଁ ଗ୍ରାମ୍ୟ କମିଟିର କର୍ମକର୍ତାମାନେ ଅଧିକ ଧ୍ୟାନ ଦେଉଛନ୍ତି । କଣାସ ମେଲଣର ଥାନାପତି ବାବା ବୈଦ୍ୟନାଥଦେବ, ଦୋକନ୍ଦା ମେଲଣର ଥାନାପତି ଗୋପିନାଥ ଦେବ, ସିରେଇ ମେଲଣର ଥାନାପତି ଗତିଶ୍ୱର ଦେବ, ଜଙ୍କିଆ ମେଲଣର ଥାନାପତି କପିଳେଶ୍ୱର ଦେବ, ଅଣ୍ଡାରସିଂହ ଥାନାପତି ଇନ୍ଦେଶ୍ୱର ଦେବ ସୁସଜ୍ଜିତ ବିମାନରେ ବସି ଷଂଟ, ଘଂଟା, ପେଏଁକାଲି, ବାଦ୍ୟଧ୍ୱନୀ, ତଗାନାଚ, ନାଗାନାଚ, ସକ୍ଷୀନାଚ, ଆତସବାଜି ଧ୍ୱନି ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିବା ପାଇଁ ସମସ୍ତ ପ୍ରସ୍ତୁତ ପର୍ବ ଶେଷ ହୋଇଥିବା ଜଣାପଡିଛି ।