
ଭୁବନେଶ୍ୱର– ୟେସ୍ ବ୍ୟାଙ୍କର କାରବାରକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରୋକ୍ ଲଗାଇବା ପରେ ଶ୍ରୀମନ୍ଦିର ସ୍ଥାୟୀ ଜମା, ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଦାନରୁ ସୃଷ୍ଟି ହୋଇଥିବା ପାଣ୍ଠି ୫୪୫ କୋଟି ଟଙ୍କା ଯାହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ୟେସ୍ ବ୍ୟାଙ୍କରେ ଡିପୋଜିଟ୍ ରଖିଥିଲେ, ତାହା ଏବେ ସଂକଟରେ । ଏଥିପାଇଁ ଆଇନ୍ ବିଭାଗକୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହି ମାମଲାର ସିବିଆଇ ତଦନ୍ତ କରାଯିବା ସହ ପରିସରଭୁକ୍ତ କରିବା ପାଇଁ ଦାବି କରିବା ସହିତ ଯେଉଁ ସରକାରୀ ଅଧିକାରୀ ଓ ରାଜନେତା ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାବି କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଫାଉଣ୍ଡେସନ ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ୧୯୫୫ ର ଧାରା ୨୮-ସି ର ସବ୍ ସେକ୍ସନ ୩ ଅନୁଯାୟୀ କେଉଁ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖାଯିବ ତାହା ରାଜ୍ୟ ସରକାର ଅର୍ଥାତ୍ ଆଇନ୍ ବିଭାଗ ଅନୁମୋଦନ କରିବେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଜାତୀୟ ବ୍ୟାଙ୍କ ପରିବର୍ତେ ୨୦୦୪ ରେ ଗଠନ ହୋଇଥିବା ଏକ ଘରୋଇ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ରଖିବା ପଛରେ ଓଡିଶା ସରକାରଙ୍କର ଘରୋଇ ବ୍ୟାଙ୍କ ପ୍ରୀତିକୁ ପଦାରେ ପକାଇଛି । ଆଜି ଓଡିଶା ପରିପ୍ରେକ୍ଷୀରେ ୟେସ୍ ବ୍ୟାଙ୍କରେ ଜମାଥିବା ସମୁଦାୟ ୩୨୦୦ କୋଟି ଟଙ୍କାର ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ଭିତରେ । ୨୦୧୭ ମସିହାରୁ ୟେସ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ସଂକଟାପନ୍ନ ଥିବା ନେଇ ସୂଚନା ମିଳିଥିଲା ଓ ନଭେମ୍ବର ୨୦୧୮ ମସିହାରେ ୟେସ୍ ବ୍ୟାଙ୍କର ପରିଚାଳନା କମିଟିକୁ ଭଙ୍ଗ କରାଯାଇଥିଲା । ଏହାସତ୍ୱେ ମାର୍ଚ୍ଚ ୨୦୧୯ ରେ ଶ୍ରୀମନ୍ଦିର ପ୍ରଶାସନ କିଭଳି ଭାବରେ ଓ କାହା ସ୍ୱାର୍ଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ୟେସ୍ ବ୍ୟାଙ୍କରେ ଜମା କରିବା ପାଇଁ ନିଷ୍ପତି ନେଇଥିଲେ ବୋଲଶି ସେ ପ୍ରଶ୍ନ କରିଛନ୍ତି । ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ଗୁରୁତର ଥିବାରୁ ତିରୁମାଲା ତିରୁପତି ଟ୍ରଷ୍ଟ ସେହି ବ୍ୟାଙ୍କରେ ଜମାଥିବା ୧୩୦୦ କୋଟି ଟଙ୍କା ଫେରସ୍ତ ଆଣିବାକୁ ସକ୍ଷମ ହୋଇଥିବା ବେଳେ କାହା ସ୍ୱାର୍ଥରେ ଓଡିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରଭୁ ଶ୍ରୀଜଗନ୍ନାଥଙ୍କର (ସୁଧ ସହିତ) ୫୯୨ କୋଟି ଟଙ୍କାକୁ ଫେରାଇ ଆଣିବାରେ ଅସମର୍ଥ ହେଲେ ? ଯେଉଁ ଅଧିକାରୀଙ୍କ ଅନୁମୋଦନକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାଙ୍କୁ ୟେସ୍ ବ୍ୟାଙ୍କରେ ଜମା ରୂପେ ରଖାଯାଇଥିଲା, ସେମାନଙ୍କୁ ବିଭିନ୍ନ ଉପହାର ସହିତ ବିଦେଶ ଭ୍ରମଣର ସୁଯୋଗ ବି ମିଳିଛି । ଆଜିର ଦିନରେ ଉଭୟ ଭକ୍ତ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ଥକୁ କିଭଳି ସୁରକ୍ଷିତ ଭାବରେ ଫେରାଇ ଅଣାଯିବ, ସେଥିପାଇଁ ଓଡିଶା ସରକାର ସାଧାରଣ ଜନତାଙ୍କ ପାଖରେ ଯେତିକି ଉତରଦାୟୀ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ମଧ୍ୟ ସମପରିମାଣରେ ଉତରଦାୟୀ । ଏଣୁ ୟେସ୍ ବ୍ୟାଙ୍କ ଦେବାଳିଆ ଘଟଣାର ସିବିଆଇ ଏବଂ ଇଡି ମିଳିତ ତଦନ୍ତ କରୁଥିଲେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏତେ ପରିମାଣର ଟଙ୍କା ୟେସ୍ ବ୍ୟାଙ୍କରେ ରଖିବା ଘଟଣାକୁ କ’ଣ ପାଇଁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିବା ସହିତ ୟେସ୍ ବ୍ୟାଙ୍କରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ଥରାଶି ରଖିବା ପ୍ରସଙ୍ଗକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିବା ସହିତ ଯେଉଁ ସରକାରୀ ଅଧିକାରୀ ଓ ରାଜନେତା ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।