ନୂଆଦିଲ୍ଲୀ/ମୁମ୍ବାଇ– ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିଲୟ ହେବାକୁ ଥିବା ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରମୁଖଙ୍କୁ ସାକ୍ଷାତ କରିବେ । ସାର୍ବଜନୀନ କ୍ଷେତ୍ରର ୧୦ ବ୍ୟାଙ୍କକୁ ପରସ୍ପର ମଧ୍ୟରେ ମିଶ୍ରଣ କରି ଚାରୋଟି ବଡ ବ୍ୟାଙ୍କ କରିବା ପ୍ରସ୍ତାବକୁ ସରକାର ପୂର୍ବରୁ ମଞ୍ଜୁରୀ ଦେଇ ସାରିଛନ୍ତି ।
ସୂଚନା ଅନୁଯାୟୀ, ଏହି ବୈଠକରେ ଅର୍ଥ ମନ୍ତ୍ରୀ ବ୍ୟାଙ୍କଗୁଡିକର ମିଶ୍ରଣ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ । ବୈଠକରେ ଏହି ସବୁ ବ୍ୟାଙ୍କର ମିଶ୍ରଣ ପରେ ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ କେମିତି ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଯିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରାଯିବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକର ଆଗାମୀ ବିତୀୟ ଓ ବ୍ୟବସାୟିକ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ । ଏଥିରେ ଋଣ ଓ କାରବାରରେ ବୃଦ୍ଧି ଅନୁମାନ ଓ ମିଶ୍ରଣ ପରେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ କରିବା ପରି ବିଷୟ ମଧ୍ୟ ଆଲୋଚନାର ପରିସରଭୁକ୍ତ ରହିଛି ।
ଉଲ୍ଲେଖନୀୟ ସାର୍ବଜନୀନ କ୍ଷେତ୍ରର ୧୦ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ ଅନୁଯାୟୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ(ଓବିସି) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ)ର ମିଶ୍ରଣ ହେବ । ସେହି ପରି କାନାରା ବ୍ୟାଙ୍କରେ ସିଣ୍ଡିକେଟ୍ ବ୍ୟାଙ୍କର ବିଲୟ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଅ ଓ ଆନ୍ଧ୍ର ବ୍ୟାଙ୍କର ମିଶ୍ରଣ କର୍ପୋରେସନ ବ୍ୟାଙ୍କରେ ହେବ । ଇଣ୍ଡିଆନ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବ । ଏହି ମିଶ୍ରଣ ସହିତ ପିଏନବି ଦେଶର ଦ୍ୱିତୀୟ ସବୁଠୁ ବଡ ବ୍ୟାଙ୍କରେ ପରିଣତ ହେବ ।