ଲସ ଏଞ୍ଜଲେସ୍– ଆମେରିକା ସ୍ଥିତ ଭାରତୀୟ ଦୂତାବାସ ଓ ଏହାର ସମସ୍ତ ଛଅଟି ବାଣିଜ୍ୟ ଦୂତାବାସରେ କରୋନା ଭୂତାଣୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ଭାରତୀୟ ଦୂତାବାସ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ନିଜର ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତ ଗସ୍ତ ନକରିବାକୁ କହିଛି ।
ଭାରତୀୟ ଦୂତାବାସ ବୁଧବାର ଏହି ଆଡଭାଇଜରି ଜାରି କରିଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ କରୋନା ଭୂତାଣୁର ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମନ୍ତ୍ରିମଣ୍ଡଳର ବୈଠକରେ ନିଆଯାଇ ନିଷ୍ପତି ଆଧାରରେ ଏହି ଆଡଭାଇଜରୀ ଜାରି କରାଯାଇଛି।
ଦୂତାବାସ ପକ୍ଷରୁ ଓସିଆଇ କାର୍ଡରେ ଭାରତ ଯାତ୍ରା କରୁଥିବା ଲୋକଙ୍କ ବ୍ୟତୀତ ଆମେରିକାରୁ କୌଣସି ବି ପର୍ଯ୍ୟଟକଙ୍କୁ ଭାରତୀୟ ଭିସା ଦିଆନଯିବାକୁ କୁହାଯାଇଛି । ଓସିଆଇ କାର୍ଡଧାରକ ଭାରତ ପହଂଚିଲେ ସେମାନଙ୍କୁ କରୋନା ସଂପର୍କିତ ଯାଂଚ କରାଯାଇପାରେ ଓ ଆବଶ୍ୟକ ପଡିଲେ ସେମାନଙ୍କୁ ଦୁଇ ସପ୍ତାହ ପାଇଁ ନୀରିକ୍ଷଣରେ ରଖାଯାଇପାରେ ।