ନୂଆଦିଲ୍ଲୀ – ସଂପ୍ରତି ସମଗ୍ର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମାରାତ୍ମକ କରୋନା ଭୂତାଣୁକୁ ମହାମାରୀ ଘୋଷିତ କରିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଂଚିଛି । କରୋନା ଭୂତାଣୁ କାରଣରୁ ପୁରା ଦୁନିଆରେ ମୃତକଙ୍କ ସଂଖ୍ୟା ୪ ହଜାର ଟପି ସାରିଥିବା ବେଳେ ଏକ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ମାତ୍ର ଚୀନରେ ସ୍ଥିତି ନିୟନ୍ତ୍ରିତ ରହିଥିବା ବେଳେ ଇରାନରେ ସ୍ଥିତି ଜଟିଳ ରହିଛି ।
ଭାରତରେ କରୋନା ଭୂତାଣୁ କାରଣରୁ ଏପ୍ରିଲ ୧୫ ସୁଦ୍ଧା ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଭିସା ରଦ୍ଦ କରାଯାଇଛି । ମାତ୍ର କୂଟନୈତିଜ୍ଞଙ୍କ ଲାଗି ଏଥିରେ କୋହଳ କରାଯାଇଛି । ସରକାର ନୂତନ ଆଡଭାଇଜରୀ ଜାରି କରି ଭାରତୀୟଙ୍କୁ ବିଦେଶ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଂଚିଛି । ସେହି ପରି ଉତର ପ୍ରଦେଶରେ ୯ ନମୂନା ପୋଜିଟିଭି ଆସିଛି ଏବଂ ୭୭ ନମୂନାର ରିପୋର୍ଟ ଆସିବା ବାକି ରହିଛି । ଇଟାଲୀରେ ଫସିଥିବା ୭୪ ଭାରତୀୟ ଓ ୯ ବିଦେଶୀ ନାଗରିକଙ୍କୁ ବୁଧବାର ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସୁରକ୍ଷିତ ଭାରତ ଅଣାଯାଇଛି । ଏହି ସବୁ ଯାତ୍ରୀଙ୍କୁ ଦିଲ୍ଲୀ ଉପକଣ୍ଠ ମାନେସର ସ୍ଥିତ ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।
ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର କହିଛନ୍ତି ଯେ, ସରକାର କରୋନା ଭୂତାଣୁର ପ୍ରକୋପ ସାମ୍ନା କରୁଥିବା ଇଟାଲୀ ଓ ଇରାନରୁ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ସେ କହିଛନ୍ତି ଭାରତୀୟ ଚିକିତ୍ସକଙ୍କ ସ୍ୱତନ୍ତ୍ର ଦଳ ଗୁରୁବାର ଇଟାଲୀ ଯାତ୍ରା କରିବେ । ସେଠାରେ ଫସିଥିବା ଭାରତୀୟ ନାଗରିକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବା ପରେ ସେମାନଙ୍କୁ ସ୍ୱଦେଶ ଅଣାଯିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଅଧିକାଂଶ ବିଦେଶରୁ ଫେରିଥିବା ଲୋକ ହିଁ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ହଂକ କଂଗ, କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀର ଯାତ୍ରାରୁ ଫେରୁଥିବା ଲୋକଙ୍କୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ଓ ଜନଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ । ଏହା ସହିତ ବିଦେଶରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ବିଦେଶ ଫେରନ୍ତା କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି ।