ଅନୁଗୋଳ– ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦର ବସଲା ସାହି ଶ୍ମଶାନରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ଏକ ବ୍ୟାଗରେ ଭର୍ତି କରାଯାଇ ସେଠାରେ ରଖାଯାଇଥିଲା । ଆଜି ସକାଳେ ଗ୍ରାମର ଜଣେ ମହିଳା ଶୌଚ ପାଇଁ ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟିର ବିକଳ କ୍ରନ୍ଦନ ଶୁଣିବାକୁ ପାଇଥିଲେ । ମହିଳା ଜଣକ ଶିଶୁଟିକୁ ଉଦ୍ଧାର କରି ସେଠାରୁ ନିଜ ଘରକୁ ନେଇଯାଇଥିଲେ । ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ ସଂକ୍ରାନ୍ତରେ ନାଲକୋ ଥାନରେ ଏତଲା କରିଛନ୍ତି । ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।
ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଶିଶୁକନ୍ୟାକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବ । ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କିଏ ଓ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ଏଠାରେ ଛାଡି ଯାଇଛି ସେନେଇ ତଦନ୍ତ ହେବ ।