ଭୁବନେଶ୍ୱର– ବଲାଙ୍ଗୀର ଜିଲ୍ଲାରେ ଚାଷୀ ମାନଙ୍କ ଠାରୁ ପ୍ରତି ଏକର ୧୯ କ୍ୱିଂଟାଲ ଧାନ କିଣା ନ ଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏ ବାବଦରେ ବାଚସ୍ପତି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ସେ ଦାବି କରିଛନ୍ତି .
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ହିସାବରେ ବଲାଙ୍ଗୀର ଜିଲ୍ଲାରେ ୫୦ ପ୍ରତିଶତ ଚାଷ ଜମି ଜଳସେଚିତ କିନ୍ତୁ ବାସ୍ତବରେ ୩ ପ୍ରତିଶତ ଜମି ଜଳ ସେଚିତ । ଧାନ କିଣାରେ ଜଳସେଚିତ ଅଂଚଳରୁ ପ୍ରତି ଏକର ୧୯ କ୍ୱିଂଟାଲ ଓ ଅଣ ଜଳସେଚିତ ଅଂଚଳରୁ ପ୍ରତି ଏକର ୧୩ କ୍ୱିଂଟାଲ ଧାନ କିଣା ଯିବାର ବ୍ୟବସ୍ଥା ରହିଛି । ହେଲେ ବଲାଙ୍ଗୀରରେ କୌଣସି ଚାଷୀଙ୍କ ଠାରୁ ୧୯ କ୍ୱିଂଟାଲ ପ୍ରତି ଏକର ଧାନ କିଣା ଯାଇ ନାହିଁ । ଜଳସେଚନ ବିଭାଗ କହୁଛି ଯେ ଜିଲ୍ଲାରେ ୫୦ ପ୍ରତିଶତ ଚାଷ ଜମି ଜଳସେଚିତ ହେଲେ ଯୋଗାଣ ବିଭାଗର ହିସାବରେ ବଲାଙ୍ଗୀରର ଜଳସେଚିତ ଭୂମିର ପରିମାଣ ଶୂନ । ତେଣୁ ସେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା କିମ୍ବା ମନ୍ତ୍ରୀଙ୍କୁ ଉତର ଦେବାକୁ କହିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।