ମନ୍ତ୍ରୀ କହିଲେ ବୈଠକ କରି କରିବି ସମାଧାନ
ଭୁବନେଶ୍ୱର– କେନ୍ଦୁପତ୍ର ତୋଳାଳୀଙ୍କ ତାଙ୍କର ପାଉଣା ଓ ଅନ୍ୟାନ୍ୟ ସୁବିଧା କାଟି ଦିଆ ଯାଇଥିବା ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ଅଂଚଳରେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ଆନ୍ଦୋଳନ ପ୍ରସଙ୍ଗ ବିଧାନସଭାରେ ଉଠିଛି । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ଥିଲେ । ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ସେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତଥାପନ କରି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଥିଲେ ୨୧ଟି ଜିଲ୍ଲାରେ କେନ୍ଦୁପତ୍ର ତୋଳାଳୀ ମାନେ ଆନ୍ଦୋଳନ କରିଛନ୍ତି । ସେମାନଙ୍କର ପାଉଣା ଓ ଅନ୍ୟ ସୁବିଧା ସୁଯୋଗକୁ ଦିଆ ଯାଉ ନାହିଁ । ଝିଅ ବାହାଘର ପାଇଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଥିଲେ ସୁଦ୍ଧା ତାକୁ ଦିଆ ଯାଉ ନାହିଁ । ସେମାନେ ଆନ୍ଦୋଳନ କଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଶ୍ରୀ ନାୟକ ବାରକୋଟରେ ପୋଲିସ ଅଧିକାରୀଙ୍କ ଦ୍ୱାରା ମହିଳା ମାନଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ସଂପୃକ୍ତ ଅଧିକାରୀଙ୍କ ବିରଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ରାଜ୍ୟ ସରକାର କେନ୍ଦୁପତ୍ରରୁ ଲାଭକୁ ସେହି ଶ୍ରମିକ ମାନଙ୍କୁ ଦେବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । କିଛି ସ୍ଥାନରେ ପାଉଣା ମିଳିବାକୁ ନେଇ ବିଳମ୍ବ ହେବା ତଥା ଅନ୍ୟ ପ୍ରସଙ୍ଗକୁ ନେଇ ସେ ବିଭାଗୀୟ ଅଧିକାରୀ ମାନଙ୍କ ସହ ବୈଠକ ଡାକିଥିବା ନେଇ ସୂଚନା ଦେଇଥିଲେ ।