ପାରଳାଖେମୁଣ୍ଡି– ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଦିନେ ଓଡ଼ିଶାର ଦ୍ୱିତୀୟ ମହାବିଦ୍ୟାଳୟ ଭାବେ ପରିଚିତ ଥିଲା । ଏହି ମହାବିଦ୍ୟାଳୟରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ବହୁ ଉଚ୍ଚ ପଦ ପଦବୀରେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରି ଅବସର ଗ୍ରହଣ କରିଥିବା ବେଳେ ବର୍ତମାନ ବିଭିନ୍ନ କାରଣରୁ ଏହି ମହାବିଦ୍ୟାଳୟର ଅବସ୍ଥା ଦିନକୁ ଦିନ ନିମ୍ନଗାମୀ ହେଉଥିବାର ପରିଲକ୍ଷିତ ହେଉଛି ।
ମହାବିଦ୍ୟାଳୟର ବିଭିନ୍ନ ଅସୁବିଧା ମାନ ରହିଥିବା ବେଳେ ତାହାର ସମାଧାନ କରିବା କଷ୍ଟସାଧ୍ୟ ହୋଇଥିବା ଉପଲବ୍ଧି ହେଉଛି । ବହୁ ବର୍ଷ ଧରି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦରେ କେହି ନାହାଁନ୍ତି । ବରିଷ୍ଠ ଅଧ୍ୟାପକ ମାନେ ଏହି ଦାୟୀତ୍ୱ ତୁଲାଇ ଆସୁଛନ୍ତି । ଯେଉଁ ମାନେ ଦାୟୀତ୍ୱରେ ରୁହନ୍ତି, ସ୍ୱଳ୍ପ ସମୟ ପାଇଁ ରୁହନ୍ତି ପରେ ଅବସର ଗ୍ରହଣ କରିଥାନ୍ତି ।
ମହାବିଦ୍ୟାଳୟର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇନଥିବାରୁ ଅନଧିକାର ଭାବେ ଲୋକେ କୁଡ଼ିଆ ମାନ ନିର୍ମାଣ କରି ରହିବା ଆରମ୍ଭ କରିଥିଲେ । ଛାତ୍ର ସଂସଦ ପକ୍ଷରୁ ବହୁବାର ଏହାର ବିରୋଧ କରାଯାଇଥିବା ସତ୍ୱେ ପାଚେରୀ ନିର୍ମାଣ କରାଗଲା ନାହିଁ । ଧିରେ ଧିରେ ମହାବିଦ୍ୟାଳୟ ଜମିରେ କୁଡ଼ିଆ ସଂଖ୍ୟା ବଢିବାରେ ଲାଗିଲା । ଅନଧିକାର କୁଡ଼ିଆ ଗୁଡିକ କ୍ରମଶଃ ସ୍ଥାୟୀ ଘରର ରୂପ ନେଲା । ଏହି ଅନଧିକାର ଭାବେ ନିର୍ମିତ କୁଡ଼ିଆ ଓ ଘର ଗୁଡିକରେ ରହୁଥିବା ଲୋକଙ୍କୁ ବାହାର କରିବା ସକାଶେ ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଗତ ୨୦୧୨ ମସିହାରୁ ବିଭିନ୍ନ ସମୟରେ ଚିଠି ମାନ ଲେଖାଯାଇଛି । ଏ ବାବଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି । କିନ୍ତୁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ଏପରିକି କର୍ତୃପକ୍ଷ ଉଚ୍ଚ ଶିକ୍ଷା ବିଭାଗର ସଚିବ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ମହାବିଦ୍ୟାଳୟର ଜମିର ଅବସ୍ଥିତି ନେଇ ଜଣାଇଛନ୍ତି ।
ମହାବିଦ୍ୟାଳୟର ଉନ୍ନତି ସକାଶେ ବହୁ ଜମିର ଆବଶ୍ୟକତା ରହିଥିବା ବେଳେ ଅନଧିକାର ଭାବେ ଗୃହ ନିର୍ମାଣ କରି ରହିଥିବା ଲୋକଙ୍କୁ ଉଚ୍ଛେଦ କରିବା ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ଏନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ମହାବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଓ ଭବିଷ୍ୟତ ଆବଶ୍ୟକତା ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।