ଭୁୁବନେଶ୍ୱର– ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହୋଇଛି । ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ପ୍ରଥମେ ଦିବଙ୍ଗତ ବିଧାୟକ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଅଣା ଯାଇ ଏହାକୁ ପାରିତ କରାଯାଇଥିଲା ।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ବିଧାୟକ ବୀର ସିପକା, ପ୍ରହଲାଦ ବେହେରା ଓ ବିଜୟ କୁମାର ନାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ । ଏହା ପରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହି ଆଲୋଚନାରେ ଭାଗ ନେଇ ଦିବଙ୍ଗତ ବିଧାୟକ ମାନଙ୍କ ପ୍ରତି ତାଙ୍କ ଦଳ ପକ୍ଷରୁ ସମବେଦନା ଜଣାଇଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ଦିବଙ୍ଗତ ବିଧାୟକ ମାନଙ୍କ ପ୍ରତି ଦଳ ପକ୍ଷରୁ ସମବେଦନା ଜ୍ଞାପନ କରିଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଙ୍ଗତ ବିଧାୟକ ମାନଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହା ପରେ ଦିବଙ୍ଗତ ବିଧାୟକ ମାନଙ୍କର ଆତ୍ମାର ସଦଗତିର କାମନା କରି ଗୃହରେ ଏକ ମିନିଟ ଧରି ନୀରବ ପ୍ରାର୍ଥନା କରାଯାଇଥିଲ।। ବାଚସ୍ପତି ଏହି ଶୋକ ପ୍ରସ୍ତାବକୁ ଦିବଙ୍ଗତ ବିଧାୟକ ମାନଙ୍କର ପରିବାର ବର୍ଗକୁ ପଠାଇ ଦିଆ ଯିବ ବୋଲି ଘୋଷଣା କରିଥିଲେ । ଶୋକ ପ୍ରସ୍ତାବ ଉପରେ ଆଲୋଚନା ୧୦.୩୦ରୁ ୧୦.୪୧ ମିନିଟ ଯାଏ ଚାଲିଥିଲା ।