ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଅସୁରକ୍ଷିତ ଥିବାକୁ ନେଇ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପୁଣି ଥରେ ଗୃହ ମୁଲତବୀ ହୋଇଛି । ଗୃହରେ ହଟ୍ଟଗୋଳ କାରଣରୁ ବାଚସ୍ପତି ୧୨.୩୨ରୁ ଦିନ ତିନିଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୨.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି ଗୃହର ମଧ୍ୟ ଭାଗକୁ ଚାଲି ଆସି ହଟ୍ଟଗୋଳ ଜାରୀ ରଖିଥିଲେ । ଅନ୍ୟ ପକ୍ଷରେ ବିରୋଧୀ ଦଳର ନେତା ତାଙ୍କ ଆସନରେ ଠିଆ ହୋଇ କହିଥିବାର ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଟଙ୍କାର ସୁରକ୍ଷା ଏକ ସ୍ପର୍ଶ କାତର ବିଷୟ । ତାଙ୍କର ଟଙ୍କାକୁ ଚଳୁ କରିବାକୁ ପ୍ରୟାସ ହେଉଛି । ଏ ସମ୍ପର୍କରେ ଗୃହରେ ଆଲୋଚନା ହେବା କଥା । ଏ ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଦିଆ ଯାଇଛି । କଂଗ୍ରେସର ସହଯୋଗରେ ଗୃହକୁ ଅଚଳ କରିବାକୁ ଉଦ୍ୟମ କରା ଯାଉଛି ।
ଏହି ସମୟରେ ବାଚସ୍ପତି କହିଥିଲେ ଯେ ଆଜି ଆଲୋଚନା ହେବାକୁ ଥିବା ମୁଲତବୀ ପ୍ରସ୍ତାବକୁ ବାତିଲ କରା ଯାଇ ନାହିଁ । ଏହା ଉପରେ ଆଲୋଚନା ଆସନ୍ତା କାଲି ହେବ । ତେବେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୨.୩୨ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହି କାରଣରୁ ଗୃହରେ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ କିମ୍ବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।